Unknown

 

 

 

 

 

 

 

 

 

 

ଭାରତ-ଲଳନା

ଚିନ୍ତାମଣି ମହାନ୍ତି

ପ୍ରଥମ ସର୍ଗ

 

ପ୍ରଥମ ସର୍ଗ

 

ଶବ୍ଦମୟୀ, ଭାବପ୍ରାଣା, ବିଶ୍ୱସମ୍ମୋହନୀ,

ବସ ହୃଦ-ସିଂହାସନେ,-ଭକ୍ତି-ଖତୀ;

ସଜାଇ ସଯତ୍ନେ ତାହା ପ୍ରୀତି-ପାରିଜାତେ,

 

ରଖିଅଛି ତୁମ୍ଭ ପାଇଁ ଚିର ଅବାରିତ ।

ଚାରୁ ଚିତ୍ରାଜୀବେ,ମାତଃ ଅଙ୍କିବି ଗୋ ମୁହିଁ,

ରାଜପୁତ ନାରୀକୁଳ-ଗୌରବ-ଚନ୍ଦ୍ରିକା-

ପ୍ରଭାବତୀ ପୁଣ୍ୟଚିତ୍ର, ପ୍ରକାଶି କରୁଣା

 

ତୁମ୍ଭେ ଏ କିଣା-କିଙ୍କରେ, ଦିଅ ମା ଯୋଗାଇ

ଯୋଗ୍ୟ ରଙ୍ଗ, ଯୋଗ୍ୟ ତୂଳି, ଏତିକି ମାଗୁଣି ।

ରୂପନଗରାଖ୍ୟ ରାଜ୍ୟ ରାଜେ ରାଜସ୍ଥାନେ

ବିପୁଳ ସମୃଦ୍ଧ, ଯାର ପୃଷ୍ଠ ଅପସର

 

ଆରାବଳୀ-ସ୍ତରାବଳୀ, ସ୍ନିଗ୍‌ଧ ଶ୍ୟାମଚ୍ଛବି,

ନିରାଟ-ବିରାଟ-ମରୁ ବ୍ୟାପ୍ତ ତିନି ଆଡ଼େ,

ଏକ ଦିଗେ ତରଙ୍ଗିତ ସୁଷମା-ବାରିଧି,

ଆନେ ମହାଶୁନ୍ୟାୟିତ ସୁଷମା-ଶ୍ମଶାନ;

 

ଶୋଭା ବିଭୀଷିକାର ସେ ସଂଘର୍ଷଣ ସ୍ଥଳ

ଅବା ଆଶା-ନୈରାଶ୍ୟର ମିଳନ ମନ୍ଦିର ।

ଦେବକଳ୍ପ ଶାନ୍ତିପ୍ରିୟ ସେ ରାଜ୍ୟ ନୃପତି

ପରମାର୍ଥପରାୟଣ, ବାହ୍ୟେ ମିତେନ୍ଦ୍ରିୟ,

 

ମାତ୍ର ଜିତେନ୍ଦ୍ରିୟ ଋଷିସମ, ଅନ୍ତର୍ଗତେ,

ପ୍ରଜାକୁଳ ଧନଧର୍ମ ପ୍ରାଣ ଜଗୁଆଳି

ମଣନ୍ତି ନିଜକୁ ରାଏ, ତୁଳାଦଣ୍ଡେ ତୁଳି

କରନ୍ତି ପ୍ରକୃତିପୁଞ୍ଜ ଶାସନ ପାଳନ ।

 

ରାଜ୍ୟ-ଚାହାଳୀରେ ରାଜା ପରମ ଶିକ୍ଷକ,

ପ୍ରଜାଏ ତହିଁରେ ଚାଟ, ରାଜଦଣ୍ଡ ଛାଟ

ସିଂହାସନ ଅବଧାନପିଣ୍ଡି, ରାଜକର-

ଗୁରୁଙ୍କ ଦକ୍ଷିଣା, ଧରି ଏ ଭାବ ସେ ନୃପ,

 

ଲିପ୍ତଥାଇ ରାଜକାର୍ଯ୍ୟ ଥାଆନ୍ତି ଅଲଗା

ଜଳୋପରି ଭାସମାନ ତୈଳବିନ୍ଦୁ ଯଥା ।

ବେଶଭୂଷା ଆଡ଼ମ୍ବର ଅବା ବିଳାସର

ନ ଥିଲେ ସେ ଦାସ, ଦାସ କେବଳ କର୍ମର;

 

ନ ଛୁଅଁ ରାଜକୋଷରୁ କଡ଼ାଏ କଉଡ଼ି

ଗ୍ରନ୍ଥ ଲେଖି କରୁଥିଲେ ଜୀବିକା ନିର୍ବାହ ।

ନ ଥିଲା ଅଭାବ ତାଙ୍କ ମନ୍ତ୍ରୀ ପାରିଷଦ,

ମାତ୍ର ସେ ଗ୍ରହନ୍ତି ସଦା ବିବେକ-ମନ୍ତ୍ରଣା,

 

ଧର୍ମେ ଗୁରୁ, ପାଟମନ୍ତ୍ରୀ ମଣନ୍ତି ବିବେକେ ।

ଗୁଣୀ ଯେଣୁ, ତେଣୁ ଅର୍ପି ଗୁଣୀକୁ ଗୌରବ,

କରୁଥିଲେ ସ୍ୱଗୌରବ ବୁଦ୍ଧି ବହୁଗୁଣ,

ଗୌରବହିଁ ଯୋଗ୍ୟମୁଲ୍ୟ ସିନା ଗୌରବର ।

 

ନ ଥିଲା ତାହାଙ୍କ ହୃଦେ ସଙ୍କୀର୍ଣ୍ଣତା, ଅବା

ପ୍ରାକୃତ ପ୍ରଭୁପଣର ହଳାହଳ ଜ୍ୱାଳା,

ହେଉଥିଲା ପ୍ରବାହିତ ଅବିରତ ତହୁଁ

ସାର୍ବଜନୀନ ଔଦାର୍ଯ୍ୟ, ସମଦର୍ଶିତାର

 

ସୁଶୀତଳ ସୁଧାସ୍ରୋତ । ତଥା ଅନ୍ତସ୍ତଳେ

ବହୁଥିଲା ଦାନ-ଧର୍ମ-ନ୍ୟାୟ-ସମୀରଣ ।

ନ ଜାଣନ୍ତି ଆତ୍ମଶ୍ଳାଘା ଆତ୍ମଗ୍ଳାନି ବିନା,

ନିଜର ସାମାନ୍ୟ ଦୋଷେ ଦେଖନ୍ତି ଅନ୍ୟର-

ଗୁରୁତର ଦୋଷାପେକ୍ଷା ବଳି ଗୁରୁତମ ।

 

ବଢ଼ାଏ ସ୍ୱଶକ୍ତିଦାନେ ଶକ୍ତି ସମାଜର

କୃଷୀବଳ, ହେଉ ପଛେ ଶୁନ୍ୟ ୧ ମୁଲ୍ୟହୀନ

 

୧- ଶୁନ୍ୟର କୌଣସି ମୂଲ୍ୟ ନାହିଁ; ମାତ୍ର ଯେଉଁ ସଂଖ୍ୟାରେ ଯୁକ୍ତ ହୁଏ,

ତାହାର ମୂଲ୍ୟ ଦଶ ଗୁଣ ବୃଦ୍ଧି କରେ ।

 

ମାତ୍ର ନ କରେ କି ବୃଦ୍ଧି ଆନ ସଂଖ୍ୟା ମୂଲ୍ୟ,

ଜାଣି ଏହା ରତ ସଦା କୃଷକ ରକ୍ଷଣେ,

 

ଥିଲା ନାହିଁ ତାଙ୍କ ରାଜ୍ୟେ ନିଷ୍କର୍ମା ଜଣେ ହିଁ,

ଯୋଗାଇ ଜୀବିକା ରାୟେ ସର୍ବେ ଯଥାଯଥ,

ସର୍ବଥା ସାର୍ଥକିଥିଲେ ‘‘ପ୍ରଜାପିତା’’ ନାମ ।

ନ ଥିଲା ରାଜାଭିମାନ ଗଭୀର ଗୁମାନ,

 

ଅଜ୍ଞ ନୃପତି-ସୁଲଭ ପୈଶାଚିକ ଭାବ,

ନିଜେ ସୁନା ଆନ ମାଟି ନ ଥିଲା ଏ ରୀତି,

ମିଶି ନିର୍ବିକାର ମନେ ସାଧାରଣ ସହ

ମଣୁଥିଲେ ଆପଣାକୁ ତାଙ୍କ ମଧ୍ୟେ ଜଣେ ।

 

ଦେଖି ତାଙ୍କୁ ରାଜୋଚିତ ନିଖିଳ ସଦ୍ଗୁଣୀ

ବୋଲନ୍ତି ଲୋକେ ଦ୍ୱିତୀୟ ଯୁଧିଷ୍ଠିର ବୋଲି ।

ଥିଲା ତାଙ୍କ କ୍ଷତ୍ରୋଚିତ ବୀର୍ଯ୍ୟ, ପରାକ୍ରମ,

ମାତ୍ର ଥିଲା ନାହିଁ ହୃଦେ ନିର୍ମମ ଆଚାର,

 

କିମ୍ବା ଅପୂର୍ଣ୍ଣବାସନା ତୀବ୍ର ହାହାକାର,

ନ ଧରନ୍ତି ଲୌହ ଅସି ସୀମାବୃଦ୍ଧି ପାଇଁ,

ଧରି ଜ୍ଞାନ-ଅସି ବୀର, ରତ ଅହରହ

ଷଡ଼୍‌ରିପୁ ସମରେ, ଦୃଢ଼େ, ଅମିତ ଉତ୍ସାହେ ।

 

ବୋଲନ୍ତି ଶତ୍ରୁ ବୋଲିଣ ଯାହାକୁ ଜଗତେ,

ମଣନ୍ତି ସେ ତାକୁ ମିତ୍ର, ଦୋଷରାଷ୍ଟ୍ରଛଳେ

ପରମ ସହାୟ ଯେହୁ ଚରିତ୍ର ଗଠନେ,

ସେ ଯଦି ଶତ୍ରୁରେ ଗଣ୍ୟ, ତେବେ ମିତ୍ର କିଏ ?

 

ନୁହଇ ତ ବୈଶ୍ୱାନର ଚାମୀକର ବୈରୀ, ୨

ବରଞ୍ଚ ସେ କରେ ତାକୁ ବିଶୁଦ୍ଧ ନିର୍ମଳ ।

ନ ଲୋଡ଼ନ୍ତି ସୁନାରି ସେ ଭୂଷଣ ନିର୍ମାଣେ,

ନିଜେ ରଚି ଯଶୋରତ୍ନେ ନିଜ ଚାରୁଭୂଷା

୨- ଚାମୀକର-ସ୍ୱର୍ଣ୍ଣ ।

 

ମଣ୍ଡନ୍ତି ଶରୀରେ, ଦିବ୍ୟ ଦ୍ୟୋତିନୀ ଶାଶ୍ୱତୀ ।

ବାସ୍ତବେ ଯେ ଉପେକ୍ଷିଣ କୀର୍ତ୍ତି-ଅଳଙ୍କାରେ

ହୁଏ ପାର୍ଥିବେ ସଜ୍ଜିତ, ଅଟେ ସିନା ସେହୁ

ଧାତୁ ଅସ୍ଥି ପାଷାଣାଦି ସ୍ଥାବର ବାହନ;

 

କୃତ୍ରିମ ସୌନ୍ଦର୍ଯ୍ୟ ବାଇ ହୋଇ ସେ ନିର୍ବୋଧ,

ଆମନ୍ତ୍ରଣ କରିଆଣେ ସସ୍ନେହେ ଯନ୍ତ୍ରଣା ।

ମୁର୍ଖସହ ସମ୍ପର୍କରେ, ମୁର୍ଖ ସହବାସେ

ପ୍ରବୀଣ ପଣ୍ଡିତ ସୁଦ୍ଧା ଲଭେ ମୁର୍ଖଭାବ,

 

ଅନ୍ଧକାରେ ଚକ୍ଷୁଷ୍ମାନ ହୁଏ ଅନ୍ଧ ଯଥା,

ଜାଣି ଏହା, କରିଥିଲେ ଚିତ୍ତ ସନ୍ନିବେଶ

ପ୍ରଜାପୁଞ୍ଜ-ଉପଯୁକ୍ତ-ସୁଶିକ୍ଷାରେ ସଦା ।

ଦେଖୁଥିଲେ ସେ ନୃପତି ପ୍ରତି ପ୍ରଜାପ୍ରାଣେ

 

ଆତ୍ମପ୍ରାଣ ସତ୍ତା, ପ୍ରତି ପ୍ରଜା କଳେବରେ

ମଣୁଥିଲେ ନିଜ ଅଙ୍ଗପ୍ରତ୍ୟେଙ୍ଗ ସଦୃଶ ।

ଏହିରୂପେ ସେ ନରେଶ ହୋଇ ବିମଣ୍ଡିତ

ଆଦର୍ଶ ଆର୍ଯ୍ୟ-କ୍ଷତ୍ରିୟ-ବାଞ୍ଛିତ ସଦ୍ଗୁଣେ,

 

ଚାଲୁଥିଲେ ହାତେ ମାପି ଚାଖଣ୍ଡକେ ବାଟ,

ଏ ଭବ-ପ୍ରାନ୍ତରେ-ପାପ-ବିପଦ-ପିଚ୍ଛିଳ ।

ପ୍ରଭାବତୀ ନାମେ ତାଙ୍କ ପାଟ ଜେମାଦେଈ

(ସୁଷମା-ଚିକୁର-ଭୂଷା-ସୁମନ-ସୌରଭ )

 

ପ୍ରଭାଚରିତ ପିତୁଳୀ, ପ୍ରତେ ହୁଏ ଯଥା, -

ତରଳାଇ ଅବା ଧାତା ତାରକାନିଚୟେ,

କିମ୍ବା ଘନ-ବିନୋଦିନୀ-ଗୁରୁ-ନୃତ୍ୟଶୀଳା

ଉର୍ଜ୍ଜ୍ୱସ୍ୱଳ ଶୋଭାରାଜ୍ଞୀ ସୁହାସୀ ତଡ଼ିତେ,

 

ଛାଞ୍ଚେ ଢ଼ାଳି ନିର୍ମାଣିଛି ସେ ସୂତନୁ ତନୁ ।

ଥିଲା ନାହିଁ ଦେଖିବାରେ ତା’ ସମ ସୁନ୍ଦରୀ

ରାଜକୁଳେ, ଆହିମାଦ୍ରି-କୁମାରୀ ମଣ୍ଡଳେ,

ପ୍ରକୃତି କିମ୍ବା ପ୍ରତିମା ହୁଏ ନାହିଁ ବାରି ।

 

ମାତ୍ର ତା ନୟନବିମ୍ବେ ବିମ୍ବିତ ପ୍ରତିମା,

ଭାଙ୍ଗିଦେଉଥିଲା ସେହି ଭ୍ରମ ଦର୍ଶକର ।

କେ କହେ ଏ ଅନିନ୍ଦ୍ୟାଙ୍ଗୀ ନୁହଇ ମାନବୀ,

ନିଶ୍ଚେ ଦେବକନ୍ୟା, ହୋଇ ଶାପଭ୍ରଷ୍ଟା, ଆସି

 

ମଣ୍ଡିଛି ମେଦିନୀ, ଧରି ଛଦ୍ର ନାରୀରୂପ,

କେ ବୋଲେ ଏ ରାଜସ୍ଥାନ-ମରୁ-ତରଙ୍ଗିଣୀ-

ମଧ୍ୟରେ ବିକଚ ପଦ୍ମ ଦ୍ୱିତୀୟ ପଦ୍ମିନୀ ।

ରୂପ ଅନୁରୂପ ଗୁଣ ଥିଲା ମଧ୍ୟ ତାର,

 

ସ୍ନେହ, ଭକ୍ତି, ପ୍ରୀତି, ନତି, କ୍ଷମା, ସହିଷ୍ଣୁତା,

ଅନୁକମ୍ପା, ଧୈର୍ଯ୍ୟ, ଲଜ୍ଜା, ମମତା, କରୁଣା,

ପବିତ୍ରତା, ପ୍ରଫୁଲ୍ଲତା, ପାତିକ୍ରତ୍ୟ ଆଦି

ସୁନାରୀ ସମ୍ପଦେ, ରଚି ଦେବ ସୂତ୍ରଧର

 

କିମ୍ବା ମୟ ଶିଳ୍ପିଗୁରୁ, -ଜେମା ଅବୟବ

ପୁଣି ତା ଉପରେ କି ସେ ଅତି ଥୟକରେ

ଦେଇଥିଲା ଶୋଭା-ସ୍ୱର୍ଣ୍ଣ-ତୁଳିକା ବୁଲାଇ ।

ଉପରମା ପ୍ରତ୍ୟୁପମା ମହୀ-ତିଳୋତ୍ତମା

 

ସେ ରୂପସୀମାର; ଥିଲା ସାହିତ୍ୟେ ସଙ୍ଗୀତେ

ଚିତ୍ରଶିଳ୍ପେ ପଶାଖେଳେ ଅତି ବିଚକ୍ଷଣା,

ସ୍ୱହସ୍ତ ଅଙ୍କିତ ତାର ଚାରୁ ଚିତ୍ରାବଳୀ,

ଜୀବିତ ବିଗ୍ରହ ଭ୍ରାନ୍ତି ଉପୁଜାଏ ମନେ ।

 

ପିତୃଭକ୍ତି ଥିଳା ତାର ଅତୀବ ପ୍ରବଳା,

ପିତା ଧର୍ମ, ପିତା ଗୁରୁ, ଜାଗ୍ରତ ଦେବତା,

ଏଣୁ ରତ ଥାଏ ସଦା ପିତୃସେବା-ଯାଗେ

ପିତୃ-ପଦୋଦକେ ମଣେ ମହାତୀଥ ବାରି,

 

ପିତୃ-ପ୍ରସାଦକୁ ପୂତ କୈବଲ୍ୟ କଣିକା ।

ପ୍ରଭାତେ ଜନକ ପଦେ ନ ବହି ପ୍ରଣତି

କରେ ନାହିଁ ପ୍ରାତଃକୃତ୍ୟ, କଲେ ବିଶ୍ଳେଷଣ

କୁମାରୀ ଜୀବନେ ତାର, ଆନ ଉପାଦାନ

 

ନ ମିଳିବ କିଛି, ଶୁଦ୍ଧ ପିତୃଭକ୍ତି ବିନା ।

ନ ଚାହିଁ ଅବଜ୍ଞା ନେତ୍ରେ ସେବକୀ ସମାତେ,

ପ୍ରକାଶେ ସହାନୁଭୂତି ବରଂ ତାଙ୍କ ପ୍ରତି,

ଦାସୀ ସାଆନ୍ତାଣୀ ସିନା କର୍ମର ପଦବୀ,

 

ମାତ୍ର ବ୍ୟକ୍ତିଗତ ଭାବେ କି ପାର୍ଥକ୍ୟ ତହିଁ ?

ପ୍ରଭୁରକ୍ତ ଭୃତ୍ୟରକ୍ତ : ଉଭୟେ ଲୋହିତ ।

ଜାଣେ ନାହିଁ ଜେମାମଣି କଟୁ ଭାଷା କହି,

ଅସହ୍ୟ ଅଗ୍ନି ଯନ୍ତ୍ରଣା ସମସ୍ତ ପକ୍ଷରେ

 

ବୁଝିଥିବ ଏହା ଯେହୁ, ଖୁଞ୍ଚିବ ସେ କିଗାଁ

ଅନ୍ୟ ଦେହେ ପ୍ରଜ୍ୱଳିତ ଅନଳ-ଶଜାକା ।

ଅତିଥି-ବତ୍ସଳା ବାଳା, ଧର୍ମପରାୟଣା,

ଦେଖିଲେ ଅତିଥି, ମଣେ କୋଟିନିଧି ଲାଭ ।

 

କରିଥିଲା ନୃପସୂତା ଗୁଣେ ମହୋଜ୍ଜ୍ୱଳ

ରତ୍ନୋଜ୍ଜ୍ୱଳ ରାଜଗୃହେ, ଯଥା ଶକୁନ୍ତଳା,

ସମୁଜ୍ଜ୍ୱଳିଥିଲା ସତ୍ୱେ ସତୀତ୍ୱ ତେଜରେ

କଣ୍ୱ ତପୋପ୍ରଭା-ଦୀପ୍ତ ପାବନ ଆଶ୍ରମେ ।

 

ଜେମାଗୁଣେ ହୋଇଥିଲା ସ୍ୱର୍ଗ ଅନ୍ତଃପୁର,

ଚିର ଅଭିଷିକ୍ତ ଯେହୁ ଶାନ୍ତି-ଅମୃତରେ,

ବହେ ଯହିଁ ଦୟା-ମୈତ୍ରି-ପ୍ରୀତି-ମନ୍ଦାକିନୀ,

ଫୁଟେ ଭକ୍ତି-ପାରିଜାତ, ସ୍ୱର୍ଗ ସିନା ସେହି

 

ସଦେହେ ଭୁଞ୍ଜନ୍ତି ତହିଁ ନରେ ସ୍ୱର୍ଗ-ସୁଖ ।

ନ ଥିଲେହେଁ ପାକପଟୁ ସୂପକାରାଭାବ

ପିତୃଗୃହେ, ହୋଇ ଜେମା ଶ୍ରଦ୍ଧାନୁପ୍ରାଣିତା,

ସ୍ୱହସ୍ତେ ପ୍ରସ୍ତୁତି କରି ନାନା ରାଜଭୋଗ,

 

ଭୁଞ୍ଜାଇ ଜନକେ ତାହା ଲଭୁଥିଲା ମୃଦ

ସାଗ୍ରହେ ନୃପତି ତାହା କରିଣ ଯୋଗଣ,

ଅପୂର୍ବ ସଂତୃପ୍ତି ଲଭି ହେଉଥାନ୍ତି ସୁଖୀ,

ଭକ୍ତି-ଦତ୍ତ-ଖାଦ୍ୟ ଲାଗେ ସ୍ୱାଦୁ ଶତଗୁଣ ।

 

ଚାରୁଶୀଳା ରୂପଗୁଣ ଉଭୟ, ଉଭୟେ

କରିଥିଲେ କି ସୁନ୍ଦର, ଜ୍ୟୋତ୍ସ୍ନା ଯୋଗେ ନିଶା

ପୁଣି ନିଶା ଯୋଗେ ଜ୍ୟୋତ୍ସ୍ନା ଶୋଭାମୟୀ ସିନା ।

ଶୁଭକ୍ଷଣେ ହୋଇଥିଲା ନାମକୃତ୍ୟ ତାର,

 

ସାର୍ଥକ ସୁଦ୍ଧା ସେ ନାମ, ନିଃସରେ ଯା ଦେହୁ

ରୂପପ୍ରଭା ସଙ୍ଗେ ଗୁଣପ୍ରଭା, ସେହୁ ଦେବୀ,

ପ୍ରଭାବତୀ ନାମ ତାର ସୁସଙ୍ଗତ ସିନା ।

ଜନରବ-ଯାନେ ଚଢ଼ି ପ୍ରଶସ୍ତି ବାଳାର

 

ଖେଳିଲା ଚୌଦିଗେ, ବାତେ ପୁଷ୍ପଗନ୍ଧ ପ୍ରାୟ,

ଦିନେ ଏ ସମ୍ବାଦ ଯାଇ ଛୁଇଁଲା କୁକ୍ଷଣେ

କୁଟିଳ ଆରଙ୍ଗଜେବ ଅପବିତ୍ର ଶ୍ରୁତି,

ଶୁଣିଲା ଯବନପତି ଅଛି, କନ୍ୟା ଏକ

 

ରୂପନଗରେଶ ଗୃହେ, ଫୁଟିବ ଯଦ୍ୟପି

ଶୋଭାର ପ୍ରଭାରେ ଫୁଲ, ହେବ ନାହିଁ ସରି

କଳାଏ କେବେହେଁ ସେହି ସୁକାନ୍ତି-କାନ୍ତିକି ।

ପ୍ରାପ୍ତିମାତ୍ରେ ଏ ସନ୍ଦେଶ, କଲା ଆଲୋଡ଼ିତ

 

ସୁନ୍ଦରୀ ସୌନ୍ଦର୍ଯ୍ୟ ହୃଦ ତାର, ଅଦୃଷ୍ଟ ସେ,

ମାତ୍ର ପ୍ରତେ ହେଲା ତାକୁ ଦୃଷ୍ଟପୂର୍ବ ପରି,

ହେଲା ସେ ଅସ୍ଥିର ତହୁଁ ଲାଳସା ଆବେଗେ,

ମଧୁଲୁବ୍‌ଧ ଋକ୍ଷ ଯଥା ମଧୁଗନ୍ଧାଘ୍ରାଣେ ।

 

କରିବାକୁ ହସ୍ତଗତ ସେ କନ୍ୟା-ରତନେ,

ଭାବିଣ ଉପାୟ, ଗଲା ଶେଷେ ଏହା ସ୍ଥିର,-

‘‘ଦେଖାଇ ବିପୁଳ ଅର୍ଥ ସ୍ୱାଧୀନତା ଲୋଭ

କ୍ଷୁଦ୍ର ରୂପନଗରର ସାମନ୍ତ ନରେଶେ,

 

ହେବି କୃତକାର୍ଯ୍ୟ, କରି ବିବାହ ପ୍ରସ୍ତାବ,

ରାଜଚକ୍ରବର୍ତ୍ତୀ ମୁହିଁ ବିଶାଳ ଭାରତେ,

କେ ଅଜ୍ଞାତ ବିଶ୍ୱଧର୍ଷୀ ପ୍ରତାପ ମୋହର,

ଭ୍ରୁକୁଟ ନିକ୍ଷେପମାତ୍ରେ ପାରଇ ମୁଁ କରି

 

ନନ୍ଦନେ ଶ୍ମଶାନ, କିମ୍ବା ଶଶ୍ମାନେ ନନ୍ଦନ,

ଇଚ୍ଛା କଲେ ପାରେ ନଦୀ ବହାଇ ଉଜାଣି,

ଏଣୁ ମୋ ବିଶ୍ୱାସ ନିଶ୍ଚେ ରୂପନଗରେଶ,

ବିହିବ ସମ୍ମତି ମୋର ପ୍ରେରିତ ପ୍ରସ୍ତାବେ ।

 

ବିଶେଷତଃ କି ଅସାଧ୍ୟ ଅର୍ଥର ଏ ଭବେ

ଅବହେଳେ ଅର୍ଥବଳ ପାରଇ ଉପାଡ଼ି

ଜୀବିତ ସିଂହର ଦନ୍ତ, କେ ନୁହେଁ ସମ୍ପଦ

ବଶ, ପୁଣି ନୁହେଁ କାର ପ୍ରିୟ ସ୍ୱାଧିନତା ?

 

ଯେ ସୌଭାଗ୍ୟଦ୍ୱାରେ ସର୍ବେ ସତତ ଭିଖାରୀ,

ପାଇଲେ ହସ୍ତରେ ତାହା, କେ ଇଚ୍ଛେ ବର୍ଜନେ ?

ଧନେ ପ୍ରାଣେ ପ୍ରାଧାନ୍ୟରେ କେବା ବୀତସ୍ପୃହ ?

ଏହିପରି ଆପେ ଦୃଷ୍ଟ ଆତ୍ମ-ପ୍ରବୋଧନେ

 

ହୋଇଣ ଆଶାୟୀ ଅତି, ଲେଖିଲା ସ୍ୱକରେ

ରୁପନଗରାଧିପତି କତି ଏ ଚିଟାଉ -

‘‘ବିହିତ ସମ୍ମାନ ସହ ଏହି ନିବେଦନ,

ରାଣା, ତୁମ୍ଭେ ରାଜନୀତି ମହାଧୁରନ୍ଧର,

 

ଶାସନ ଶୃଙ୍ଖଳା, ସୁକ୍ଷ୍ମ ବିଚାର ପଦ୍ଧତି,

ପ୍ରଜାପାଳନ ବ୍ୟବସ୍ଥା, ଆଦର୍ଶ ତୁମ୍ଭର ।

ବହୁ ରାଜା ମହାରାଜା ଅଛନ୍ତି ଭାରତେ,

ଶ୍ରେଷ୍ଠ ତୁମ୍ଭଠାରୁ, ଧନେ, ମାନେ, ପ୍ରାଧାନ୍ୟରେ,

 

ମାତ୍ର ନିତାନ୍ତ ବିରଳ ସିନା ତୁମ୍ଭ ପରି

ଲୋକରକ୍ଷୀ ପ୍ରଜାପିତା, ନାହାନ୍ତି ବା କେତେ

ଗଜଯୂଥ ମହାରଣ୍ୟ; ମାତ୍ର କି ସୁଲଭ

ସମସ୍ତଙ୍କ ଶିରେ ମୁକ୍ତା, -ମାତଙ୍ଗ-ଗୌରବ ?

 

ରାଜା, -ଅମରାବତୀର କଳ୍ପତରୁ ଶାଖା,

ରୋପିଛି ବିଧାତା ତାହା ଭୂମଣ୍ଡଳେ ଆଣି

ସ୍ନିଗ୍‌ଧ ଛାୟା ସୁଧାମୟ ଫଳଦାନ ଆଶେ ।

ରାଜାର କର୍ତ୍ତବ୍ୟ ବ୍ରତ ନୁହେଁ ନିଜ ପାଇଁ,

 

ନିର୍ଭର ସେ ବ୍ରତେ ହିତ ପ୍ରକୃତି ପୁଞ୍ଜର,

ସୁଖାଭିଳାଷୀ ଯେ ନୃପ, ସୁଖର ସେ ଦାସ,

ଅର୍ପେ ଯେ ପ୍ରଜାଙ୍କୁ ସୁଖ, ସେହି ଏକା ସୁଖୀ,

ପ୍ରସନ୍ନ ତା ପ୍ରତି ଦେବେ, ତା ବିଶୁଦ୍ଧ ସୁଖ,

 

ଅମୃତରେ ଅଭିଷିକ୍ତ ହୁଏ ନିତି ନିତି,

ମହୀତଳେ ଧନ୍ୟ ତାର ମହୀପାଳ ପଦ ।

ନୁହେଁ ତ ସଙ୍ଗତ ଖାଲି ସିଂହାସନାରୋହୀ-

ରାଜାର ନୃପତି ଆଖ୍ୟା, କରିପାରେ ଯେହୁ

 

ସର୍ବାଙ୍ଗୀନ ସମୀଚୀନ ଆଦର୍ଶ ଗଠନ,

କୁତ୍ସିତ ରାଜାଭିମାନ ଚିରବୈରୀ ଯାର,

ତାହାରି ନୃପତି ପଦ ସାର, ସ୍ୱାଭାବିକ ।

ଭଙ୍ଗୁର ସିଂହାସନର ଭଙ୍ଗୁର ଗୌରବ-

 

ମୂଲ୍ୟ, ପରିଜ୍ଞାତ ତୁମ୍ଭେ, ନେଉଛ ନିର୍ମାଣି

ତେଣୁ ସୁକର୍ମ-ସୁବର୍ଣ୍ଣେ ସ୍ୱକୀୟ ଆସନ

ମନୋମତ, ଅନଶ୍ୱର ଚିର ଊର୍ଜ୍ଜ୍ୱସ୍ୱଳ ।

ଏହିପରି ରାଣା, ତବ ବହୁ ପ୍ରଶସ୍ତିର

 

ଶୁଭ ଶଙ୍ଖସ୍ୱନ, ବାଜେ ସଦା କର୍ଣ୍ଣେ ମୋର

ମୃଦୁ ମଧୁଭାବେ, କେତେ ଯେ ମୁଁ ଲଭେ ତହିଁ

ସୁବିଶୁଦ୍ଧ ପ୍ରୀତି, ନାହିଁ ତାର ପ୍ରକାଶର

ଉପଯୁକ୍ତ ଅର୍ଥପ୍ରାଣ ଭାଷା, ଭାଷାକୋଷେ;

 

ଇଚ୍ଛା ମୋର, ତବ ସହ ସମ୍ବନ୍ଧ ବନ୍ଧନେ

ବନ୍ଧୁତ୍ୱର, କରିବି ସେ ପ୍ରୀତି ଦୃଢ଼ୀଭୂତ,

ଏଣୁ ଏହି ଅନୁରୋଧ, ହେ ଆର୍ଯ୍ୟ-ନୃପତେ,

କରିଣ ଗ୍ରହଣ ମୋତେ ଜାମାତୃ ରୂପରେ,

 

କର ମୋର ସେହି ପ୍ରିୟ ବାସନା ପୂରଣ ।

ବିଧର୍ମୀ ବୋଲିଣ ମନେ ନ କରିବ ଦ୍ୱିଧା,

ଅଛି ତୁମ୍ଭ ଆମ୍ଭ ମଧ୍ୟେ ସମ୍ପର୍କ କୌଳିକ

ବହୁକାଳୁ, ନୁହେଁ ଏହା ଅବିଦିତ ତବ,

 

ମୋହର ପ୍ରପିତାମହ, ପୁଜ୍ୟ ପୀତାମହ, ୧

କରିଥିଲେ ରାଜପୁତ କନ୍ୟା ପରିଣୟ ।

ବହିଲେ ସମ୍ମତି ରାଣା, ମୋର ଏ ପ୍ରସ୍ତାବେ,

ଘୁଞ୍ଚିବ ସାମନ୍ତପଦ, ହେବ ହେ ସ୍ୱାଧୀନ,

 

ଅଧିକନ୍ତୁ ହେବ ତୁମ୍ଭେ ଦ୍ୱିତୀୟ ସମ୍ରାଟ,-

ସୁବିସ୍ତୀର୍ଣ୍ଣ-ରେଣୁ-ରତ୍ନ-ମୋଗଲ ରାଜ୍ୟରେ ।’’

ଲେଖି ସାରି ଯବନେଶ ମୁଦି ଜଉମୁଦେ,

ହକରାଇ ସୁଚତୁର ଚମୂପତି ଜଣେ

 

ଦେଲା ଏ ଆଦେଶ, ‘‘ବୀର, ଏହି ମୁହୂର୍ତ୍ତରେ

କର ତୁମ୍ଭେ ଯାତ୍ରା, ରୁପନଗରୀଭିମୁଖେ

ଦ୍ୱିସହସ୍ର ଅଶ୍ୱାରୋହୀ ସହ, ଘେନି ଏହି

ବିବାହପ୍ରସଙ୍ଗପତ୍ର, ଅର୍ପିବ ଏହାକୁ

 

ସେ ରାଜ୍ୟ ନରେଶେ, ଶାନ୍ତଶିଷ୍ଟ ବନ୍ଧୁଭାବେ,

ନ ଦେବ ଯାବତ ସେହୁ ପତ୍ରର ଉତ୍ତର,

ତାବତ ରହିବ କିନ୍ତୁ ଶିବିର ସଂସ୍ଥାପି ।’’

ତଥାସ୍ତୁ ଉଚ୍ଚାରି ତହୁଁ ଶୂରପୁରୋଯାୟୀ [ ୨ ]

 

ଚଳିଲା ସଦଳେ ମାଗି ଛାମୁରୁ ମେଲାଣି,

ମିଳିଲାକ ଯଥାକାଳେ ଯଥାସ୍ଥାନେ ଯାଇ ।

 

ଦ୍ୱିତୀୟ ସର୍ଗ

 

ଅକସ୍ମାତ ନାଗରିକେ ଦେଖି ଉପସ୍ଥିତ

ସମାଟ-ବାହିନୀ, ହୋଇ ଆଚମ୍ବିତ ଅତି,

ଭୟେ ବ୍ୟଗ୍ରେ ସାତପାଞ୍ଚ ଗଣିଲେ ସକଳେ ।

କେ କହିଲା କିପାଁ ସେନା ପେଷିଲା ଯବନ,

 

ନାହିଁ ତ ବୈରତା ତାର ଆମ୍ଭ ନୃପସହ

କେଉଁ କାଳେ, ବରଂ ଅଛି ସଦ୍‌ଭାବ, ବନ୍ଧୁତା,

ବୋଇଲା ଅପର ତହୁଁ, ସ୍ଥାୟୀ କେତେ କ୍ଷଣ

କାଳକୂଟୋଦ୍ଗାରୀ କ୍ରୁର ସର୍ପର ସଂପ୍ରୀତି ?

 

ବୁଭୁକ୍ଷିତ ମହାବଳ କେବେ ମିତ୍ର କାର ?

କ୍ରମେ ଚର୍ଚ୍ଚାଧିକ୍ୟ ସହ ବଢ଼ିଲାକ ଧୋକା *

ବଢ଼େ ରାତ୍ରିବୃଦ୍ଧି ସଙ୍ଗେ ଅନ୍ଧକାର ଯଥା,

ମାତ୍ର ନ ପାଇଲେ କେହି ସ୍ଥଳକୂଳ କିଛି

* ସନ୍ଦେହ

 

ଉପସ୍ଥିତ ଚକ୍ରାନ୍ତର, ଅଛି ସାଧ୍ୟ କାର

ଭେଦିବ କୁଚତ୍ରି-ଚକ୍ର, କୁଚକ୍ରୀ ବ୍ୟତୀତ ?

 

ଭେଦନେ ଅକ୍ଷମ ଯାକୁ କୁଳିଶ, ଅନିଳ ।

ଏଣେ ରୂପନଗରରେଶ ବସି ସିଂହାସନେ

 

ରତ ରାଜକାର୍ଯ୍ୟେ, ପାତ୍ର ପାରିଷଦ ସହ,

ଅର୍ଥୀ ପ୍ରତ୍ୟର୍ଥାଦି ଛନ୍ତି ଚଉପାଶେ ଘେରି

‘‘ମାନସେ କାମନା ପ୍ରାୟ, ମିଳି ଏହି କାଳେ

ପତ୍ରହସ୍ତ ପ୍ରତିହାରୀ, ସମର୍ପି ଛାମୁରେ

 

ଲେଖ, କଲା ଜଣାମଣା କୃତାଞ୍ଜଳିପୁଟେ,-

‘‘ମଣିମା, ଯବନେଶ୍ୱର ସେନାପତି ଜଣେ

ଉପସ୍ଥିତ ଦ୍ୱିସହସ୍ର ଅଶ୍ୱାରୋହୀ ସହ

ଘେନି ଏ ଚିଟାଉ, ସିଂହଦ୍ୱାର ସମ୍ମୁଖରେ ।

 

ଦୁର୍ଗ ବହିର୍ଭାଗେ, ସେହୁ ପକାଇ ଛାଉଣି

ପ୍ରତିପତ୍ର ପ୍ରତୀକ୍ଷାରେ ଅବସ୍ଥିତ ତହିଁ ।’’

ଶୁଣିଣ ଏ ଆକସ୍ମିକ ବିପଦ ବାରତା,

ପଶିଲା ସଭାସ୍ଥ ଜନ ଛାତିରେ ଛନକା,

 

ଖେଳିଲା ବିଦ୍ୟୁତ ବେଗେ ହୃଦୟେ ବିସ୍ମୟ,

ଖେଳେ ଯଥା ସିନ୍ଧୁଗର୍ଭେ ଉଲ୍ଲୋଳ କଲ୍ଲୋଳ

 

ବର୍ଷାଢ଼ାଳି, ବିଶ୍ୱଧସୀ ବାତ୍ୟା-ବିତାଡ଼ନେ ।

କ୍ଷିପ୍ରହସ୍ତେ ଫେଇ ରାଣା ପତ୍ର ଆବରଣ

 

ପାଠ କଲେ ମନେ ମନେ, ପଢ଼ୁ ପଢ଼ୁ ତାହା,

ହେଲା କ୍ରମେ ଆନନଶ୍ରୀ ପାଣ୍ଡୁର ତାଙ୍କର

କୋପ, ଘୃଣା, ଅପମାନ, ବିଷାଦ ଛାୟାରେ ।

ବିମୁକ୍ତ-ବ୍ୟୋମ-ବିହାରୀ ବିହଙ୍ଗ ସହସା

 

ହେଲେ ପଞ୍ଜରିକାବଦ୍ଧ, ଘଟେ ଯଥା ଚାର

ଶ୍ୱାସରୋଧ ଉପକ୍ରମ, ଆଶୁ, ତଥା ଏହି

ପାର୍ଥିବ-ବୈଭବ-ଆଶା-ପତ୍ର, ଦେଲା ପୀଡ଼ା

ରାଣାଙ୍କୁ ବିସ୍ତର, ହେଲେ କ୍ରସ୍ତବ୍ୟସ୍ତ ରାଏ ।

 

ଚିର-ବିଭବ-ବିତୃଷ୍ଣ ମୁମୁକ୍ଷୁ ଶ୍ରବଣେ,

ଶୁଭିଲା କିବା ଜଘନ୍ୟ ବିଷୟ ଆହ୍ୱାନ ।

ଲଭି ଗୁରୁବ୍ୟଥା ରାଣା ଭାବିଲେ ଏସନ,-

‘‘ଆହୋ କି ଅଶୁଭ ବାର୍ତ୍ତା, କି ଦୁର୍ଦ୍ଦିନ ଆଜି,

 

କି କୁକ୍ଷଣେ ହୋଇଥିଲା ରଜନୀ ପ୍ରଭାତ ।

ଏ ବିଭତ୍ସ ପତ୍ରପାଠେ ରସନା ମୋହର

 

ହେଲା ସିନା ଅପବିତ୍ର, ହା କି ଦୂର୍ବିପାକ !

ପୂତ ଆର୍ଯ୍ୟ ସତୀକୁଳେ ଯେ କନ୍ୟା ସମ୍ଭୁତା,

 

ପିତୃ ଆଜ୍ଞାକୁ ଯେ ମଣେ କର୍ଣ୍ଣର ଭୂଷଣ,

ହସ୍ତଆଭରଣ ଯାର ପିତୃ-ପଦ-ସେବା,

ପିତୃମୂର୍ତ୍ତି ଚିନ୍ତା ପୁଣି ହୃଦୟରେ ହାର,

ଅର୍ପିବି ତାକୁ ମୁଁ ହାୟ ଯବନର କରେ !

 

କି ବିଚାରେ ଅରଣ୍ୟରେ ଫିଙ୍ଗିଦେବି ମୋତି,

କେମନ୍ତେ ବା ଟେକିଦେବି ଶ୍ରୀମହାପ୍ରସାଦ

ନାସ୍ତିକ ଚଣ୍ଡାଳ କରେ, ସୃଜି ନାହିଁ ଧାତା

ତ୍ରିଦଶମଞ୍ଜରୀ ୧ କେବେ ଭୂତ ପୂଜାନାହିଁ ।

[ ୧ ] ତୁଳସୀ ।

 

ଭାଗ୍ୟମଦେ ମତ୍ତ ଦୁଷ୍ଟ ପାପିଷ୍ଠ ନାରକୀ,

ମାତ୍ର ବୁଝି ନାହିଁ ପରା ଭାଗ୍ୟ ଭଙ୍ଗୁରତା,

ସତତ ପତନୋନ୍ମୁଖ ଭାଗ୍ୟ ଏ ଜଗତେ

ଶ୍ଳଥ-ବୃନ୍ତ-ପକ୍ୱଫଳ ପ୍ରାୟ, ଆଣେ ସେହୁ

 

ଦର୍ପ ପଛେ ହଟହଟା ମାନବ ଜୀବନେ ।

ଚନ୍ଦନ ପାଦପ ଛାୟା ସୁଖଦ ଶୀତଳ,

ଆଶୀବିଷ ବିଷଶ୍ୱାସେ ମାତ୍ରେ ବିଷମୟ ।

କି କରିବି ଏ ସଙ୍କଟେ ଦିଶୁ ନାହିଁ ବୁଦ୍ଧି,

 

ନ ଦେଲେ ସେ ନେବ ବଳେ, ପାରିବି କି କରି ?

କି ଅସାଧ୍ୟ ତାର ? - ଯେହୁ ଲୁବ୍‌ଧକ ପ୍ରବଳ

ନ ମଣିଲା ପାପ, ମୁଢ଼ ସୋଦର ନିଧନେ,

ଅର୍ପୁଅଛି ବୃଦ୍ଧତାତେ ଶାସ୍ତି, ବନ୍ଦିଶାଳେ,

 

ବଳେ କନ୍ୟାଗ୍ରହଣେ ସେ କିପାଁ ହେବ ଭୀତ ?

କେମନ୍ତେ ସହିଛି ଧର୍ମ ତା ଏ ଅକରଣୀ ?’’

ଏହିରୂପେ ଭାଲି ରାଣା ତେଜି ଦୀର୍ଘଶ୍ୱାସ

ନିଦାରୁଣ ଦୁଃଖବ୍ୟଞ୍ଜୀ, ପଢ଼ିଲେ ଶୁଭାଇ

 

ପତ୍ର, ଶୁଣି ତାହା, ଗଲା ତୁଟି ସକଳର

ଉଦ୍‌ବେଳେ ଉତ୍କଣ୍ଠା, ପ୍ରୌଢ଼େ ଗଣିଲେ ପ୍ରମାଦ,

ମାତ୍ର ମୃତ୍ୟୁହେୟକାରୀ ତରୁଣ କ୍ଷତ୍ରିୟେ

ଉଠିଲେ ଉତ୍ତେଜି କ୍ରୋଧେ, ଖରେ କ୍ଷିପ୍ତପ୍ରାୟ ।

 

କେ କହିଲା-‘‘ପାମରର ଏଡ଼େକ ସାହସ,

କରିଅଛି ଏଡ଼େ ବଡ଼ ବିକୃତ ପ୍ରସ୍ତାବ,

ସହିବ କି ଏ ଲାଞ୍ଚନା (ଅନ୍ତର୍ଜ୍ଜ୍ୱଳାମୟୀ)

ରାଜପୁତ ବୀର ପ୍ରାଣେ, ଚିରପ୍ରିୟ ଯାର,

 

ମରଣ, ଗୌରବ, ରଣ, ସତ୍ୟ, ସ୍ୱାଧୀନତା ।

ରଖଇ କି ରାଜପୁତ ପ୍ରାଣର ମମତା,

ପ୍ରାଣପାଇଁ କେବେ, ନୁହେଁ ପ୍ରାଣରଙ୍କ ସେହୁ ।

କ୍ଷଣିକ ସୁଷୁପ୍ତି ଯେହୁ ମଣଇ ମରଣେ;

 

ସେ କିପାଁ ଡ଼ରିବ ଭଲା ନଗଣ୍ୟ ଯବନେ ?

ମାରିବେ ମରିବାଠାରୁ କି ଅଛି ଆମୋଦ,

କ୍ଷିତି ମଧ୍ୟେ କ୍ଷତ୍ରିୟର, ବ୍ରତ ତାର ତାହା ।

କରିବୁଁ ସମର, ହେବ ଧରା ଅଯବନା,

 

ଅଥବା ଅରାଜପୁତା, ମାତ୍ର ବିନା ରଣେ

ହେବ ନାହିଁ ହେବ ନାହିଁ ଇଷ୍ଟସିଦ୍ଧି ତାର,

ବୋଇଲା ଅପର ବୀର ଯଥାର୍ଥ ଏ କଥା

କ୍ଷତ୍ରୋଚିତ, ମାତ୍ର ନୁହେଁ ବେଳ ଅନୁକୂଳ,

 

କି ଦୋଷ ବା ଯବନର । ଆମ୍ଭ ପୂର୍ବ ପୁଂସେ

ଯାଇଛନ୍ତି ଅର୍ଜି ଯେଉଁ ଜାତୀୟ ଅଖ୍ୟାତି,

କେ ଭୁଞ୍ଜିବ ତାହା ଆଉ, ତାଙ୍କ ଭାଗ୍ୟହୀନ-

ବଂଶଧର ଆମ୍ଭ ବିନା, ଅତୀତର ସେହି,

 

ଅମର କଳଙ୍କ ଲିପି, ଧରେ ଇତିହାସ-

ବକ୍ଷେ, ଯାବନ୍ତ ଧରିବ ପୁଣି, ନ ନିଭିବ

ସେହି ଦାଗ ରାଜପୁତ-ଲଲାଟୁ କଦାପି ।

କି ନ କଲେ ବିକାନିର ଅମ୍ବର (୨) ପ୍ରଭୃତି

 

[ ୨ ] ବିକାନିର, ଅମ୍ବର ପ୍ରଭୃତିର ରାଜପୁତ ରାଜାମାନେ ଆକବର ଏବଂ

ତାହାଙ୍କ ପୁତ୍ର ସେଲିମଙ୍କୁ କନ୍ୟାଦାନ କରିଥିଲେ ।

 

ରାଜଗଣ, ସ୍ୱାର୍ଥପର, ଭୀରୁ, ଯବନ କି

ହୋଇଥିଲା ପ୍ରାର୍ଥୀ କେବେ ତାଙ୍କ ଦ୍ୱାରେ ଆସି ?

ବଳେ ବଳେ ଯାଚି ଗୁଞ୍ଜି କଲେ କନ୍ୟାଦାନ,

ଯବନ ଦତ୍ତ ଉପାଧି, କୃପା ଲାଭ ଲାଗି ।

 

ଉପାଧି କି ଏଡ଼େ ଶ୍ରେଷ୍ଠ ମନୁଷ୍ୟତାଠାରୁ ?

ନିର୍ବୋଧେ ମଣନ୍ତୁ ପଛେ ମହା ମୂଲ୍ୟବାନ,

 

ମାତ୍ର ତାହା ବ୍ୟଧି ଭିନ୍ନ ନୁହେଁ ଆନ କିଛି,

ଫିଙ୍ଗିଦେଲେ ଯାକୁ, ହୁଏ ପ୍ରାଣ ଶାନ୍ତିମୟ,

 

ମିଳେ ପରକାଳରୋଧୀ ଜଞ୍ଜାଳରୁ ତ୍ରାହି,

କିପାଁ ସେ ଉପାଧି ପାଇଁ ଏଡ଼େ ବାଇ ନରେ !

ନ ଥିଲେ ସେ କାଳେ ଚଳି ଏହି ବ୍ୟଭିଚାର,

ଏହି ଧର୍ମଛଡ଼ା ରୀତି କି ଚାରା ମ୍ଳେଚ୍ଛର,

 

ଏଡ଼େ ବଡ଼ ଆସ୍ପର୍ଦ୍ଧା ସେ ପାରନ୍ତା ପ୍ରକାଶି,

ଶୁଣନ୍ତା କି କର୍ଣ୍ଣ ଆଜି ଏ ପାପ ପ୍ରସ୍ତାବ ?

ଯୋଗ୍ୟ ପ୍ରତିପତ୍ର ନିଶ୍ଚେ ଲଭନ୍ତା ବର୍ବର,

ରାଜପୂତ ତୀକ୍ଷ୍‌ଣ ଅସି ହୁଅନ୍ତା ଲେଖନୀ,

 

ମସୀ ଅରିରକ୍ତ, ଅରିହୃଦୟ କାକତ ।

ନୁହଇ ଯବନସହ ବୈରତା ବିହିତ,

ସମ୍ରାଟ ସେ, ଆମ୍ଭେ ତାର ସାମନ୍ତ କେବଳ,

ଜଜ ମଧ୍ୟେ ବାସ କରି, କୁମ୍ଭୀର ସହିତ

 

ଶତ୍ରୁତାଚରଣ ନୁହେଁ ବିଜ୍ଞୋଚିତ କେବେ,

ବିଶେଷତଃ ସମସ୍ତେ ତା ପ୍ରସାଦ-ଭିକାରୀ,

 

ଆଜ୍ଞା-ପ୍ରତିଧ୍ୱନି, ହେବ ଆମ୍ଭ ପକ୍ଷ କିଏ ?

ଇଚ୍ଛା କଲେ ମୁହୂର୍ତ୍ତକେ ସୃଜପାରେ ସେହୁ,

 

ସୈନ୍ୟ-ପାରାବାର, ଆମ୍ଭେ ମୃଷ୍ଟିମେୟ ବୀରେ

କି କରିପାରିବା ସେହି ମହାବାହିନୀର,

ବିଶାଳ ଅନଳ କ୍ଷେତ୍ରେ ବଳସାଏ ବାରି

ପାରିବ କି କେତେବେଳେ କରି ନିର୍ବାପନ,

 

ବାସ୍ପାକାରେ ଉଡ଼ିଯିବ ବରଂ ପଡ଼ି ତହିଁ ।

ଅତଏବ ପରିହରି ସମର ପ୍ରତ୍ୟାଶା,

ଉଦ୍ଧାରର ଅନ୍ୟୋପାୟ ଖୋଜି ଉଚିତ ।’’

ଭାଷିଲା ତୃତୀୟ ତହୁଁ ଗର୍ବସୂଚୀରେ,-

 

‘‘କିପାଁ ଏତେ ଅସ୍ତବ୍ୟସ୍ତ, କି ଲୋଡ଼ା ସହାୟେ

କାର, ସତୀତ୍ୱ ରକ୍ଷାର ଉପାୟ କେବଳ

ସତୀତ୍ୱ, ସେ ସଦୁପାୟ ବିଦିତ ସତୀର ।

ସତୀତ୍ୱ ସତୀର ଗାତ୍ରେ କୁଳିଶ କବଚ,

 

ଭେଦନେ ସକ୍ଷମ ତାହା କିଏ ଚରାଚରେ ?

ସତୀମାତା ରାଜସ୍ଥାନ, ସତୀମଣିଖଣି,

 

ତୀର୍ଥ ସମ ସୁପବିତ୍ର-ସତୀର ନିଃଶ୍ୱାସେ,

ସତୀତ୍ୱେ ଅସ୍ତିତ୍ୱ ଯାର, କି କ୍ଷତି ତାହାର

 

ସାଧିପାରେ ଯବନେଶ, ଛାର କୂଟପଟୁ,

ଆଲୌକିକ ଅଦମିତ ସତୀତ୍ୱର ବଳ ।

ମଣିଲୋଭେ ଫଣିନୀକୁ ଦୂରୁ ଆକ୍ରମଣ

କରନ୍ତୁ ଲୁବ୍‌ଧକେ, ମାତ୍ର ବିଷଦନ୍ତ ଭୟେ

 

ପାରନ୍ତି କି ପଶି କେହି ଭରସି ତା କତି ?

ବ୍ୟର୍ଥ ହୁଏ ଦୁଷ୍ଟଙ୍କର ଶ୍ରମ, ଆସ୍ଫାଳନ ।

କି ଉପାୟ କଲା କିଏ ପଦ୍ମିନୀ ସକାଶେ ?

ପାତିବ୍ରତ୍ୟ ବଳେ ସିନା ଚିତୋର- ଚନ୍ଦିକା,

 

ଖୋଜିନେଲା ନିଜେ ନିଜ ଉଦ୍ଧାରର ପଥ ।

ବିଚକ୍ଷଣା ପ୍ରଭାବତୀ, ସତୀକନ୍ୟା, ସତୀ,

ସାକ୍ଷାତ ଅନଳଶିଖା ସ୍ୱରୂପିଣୀ ତେଜେ,

କରିବେ ନିଶ୍ଚୟ ସେହୁ ଆତ୍ମରକ୍ଷା ଆପେ,

 

ମୋର ଏ ଭବିଷ୍ୟବାଣୀ ନ ହେବ ବିଫଳ ।’’

ଏହିପରି ନାନାକଥା ଚଳିଲା ସଭାରେ,

 

ମାତ୍ର ହେଲା ନାହିଁ କିଛି ସ୍ଥିର କାହାଦ୍ୱାରା-

ଉପସ୍ଥିତ ବିପଦର ପ୍ରତିକାରୋପାୟ ।

 

କିଂକର୍ତ୍ତବ୍ୟ ବିମୋହିତ ହୋଇ କ୍ଷୁର୍ଣ୍ଣ ମନେ

ଉଠିଗଲେ ରାଣା, ସଭା ଭାଙ୍ଗି, ସନ୍ଧ୍ୟା ଜାଣି

କରିବାକୁ ସାୟଂକୃତ୍ୟ, ଉପାସନାଗାରେ ।

 

ତୃତୀୟ ସର୍ଗ

 

ଲାଗିଲା ବାରୁଣୀକ୍ଷେତ୍ରେ ବିଷମ ସମର

ଦିବାରଜନୀର ଏବେ, ଦିଶିଲା ପିଶୁନ

ରଙ୍ଗସ୍ଥଳୀ, ଧଣିନାଇ ବଳେ ରାତ୍ରିରାଣୀ

ଦିବସ-ସମ୍ରାଟେ, କଲା ବନ୍ଦୀ ବନ୍ଦିଶାଳେ;

ନୃପତି ବିପଦ ହେରି ବିହଙ୍ଗ-ପ୍ରଜାଏ

କରୁଣ କାକଳି ଛଳେ ସଘନେ ବିଳପି

କେ କାହିଁ ଲୁଚିଲେ ଭୟେ, ପକାଇ ସତ୍ୱରେ ।

ଖେଳିଗଲା ସୃଷ୍ଟିମୁଖେ ଅତସୀ କୁସୁମ

ଆଭା, ଉଦେ ତାରାରାଜି ନଭେ କୋଟି କୋଟି,

ସେ ଭୀଷଣ ରଣେ ଅବା ଝଡ଼ି ରତ୍ନରାଜି

ନୃପତି-ମୁକୁଟୁ, ତହିଁ ପଡ଼ିଛି ବିଞ୍ଚୁଡି ।

ଅଥବା ପ୍ରକୃତିଦେବୀ ଆଗ୍ନେୟ ଅନ୍ଧରେ

ଲେଖିଅଛି ବିଶ୍ୱପତି ସ୍ତୁତି ଶ୍ଳୋକାବଳୀ,

ମର୍କତ ନୀଳିମାଳିନ୍ଦୀ ଅମ୍ବର-କାକତେ ।

ଧରିଲି ରାଜନବର ଅପରୂପ ଶୋଭା

ଦୀପାଲୋକେ, ପରିହରି ଅନ୍ଧକାର ତାର

 

ପ୍ରିୟବାସ ଦୁଃଖିହୃଦ, ପଶିଛି ଶରଣ

ନୃପତି-ହୃଦୟେ, ଆଜି ଏ ଘୋର ସଙ୍କଟୁ

କିରୂପେ ମିଳିବ ତ୍ରାହି, କେଉଁ ରୂପେ ଅବା

ରହିବ ଅକ୍ଷତ ଆର୍ଯ୍ୟକୁଜର ଗୌରବ

 

ବଳଙ୍କ-ପଙ୍କ-ପ୍ରବାହୁ, ଏହି ଚିନ୍ତା, ଭୀତି

ରଖଥିଲା କରି ତାଙ୍କୁ ହତସଂଜ୍ଞ ପ୍ରାୟ ।

ଏଣେ ଜେମାହଂସପୁରେ ପର୍ଯ୍ୟଙ୍କ ଆସନେ

ଉପାବିଷ୍ଟା ପ୍ରଭାବତୀ, ଗଣ୍ଡପାଣି ହୋଇ,

 

ହୋଇଛି ଅନୁରଞ୍ଜିତ ଶୋଭାଙ୍ଗୀ ଶରୀରେ

ପର୍ଯ୍ୟୁଷିତ-ରୌଦ୍ରତପ୍ତ-ପୁଷ୍ପ ପାଣ୍ଡୁରିମା,

କ୍ରୂର ଚିନ୍ତା-କୀଟ ହାୟ ପଶି ଏ ନଳିନେ,

[ ଅଘ୍ରାତ, ଅକରସ୍ପର୍ଶ, କାନ୍ତିମୌଳିମଣି ]

 

ଦେଇଅଛି କାଟି ତାର ଆନନ୍ଦ-କେଶର ।

ଦାରୁଣ ଦୁର୍ବାର୍ତ୍ତା ବାଳା ଶୁଣିଲାବେଳରୁ

ବସିଛି ନିସ୍ତବ୍‌ଧେ, ହୋଇ ବିସ୍ମୟେ ଅବଶା,

ମହାବାତ୍ୟା ପରେ ଯଥା ପ୍ରଶାନ୍ତ ପ୍ରକୃତି ।

 

ଲଭୁଛି ସେ କି ଯନ୍ତ୍ରଣା ଅନ୍ତରେ ଅନ୍ତରେ,

ସମଗ୍ର ଶବ୍ଦ-ସମ୍ପଦ କଲେ ସୁଦ୍ଧା ବ୍ୟୟ,

କେବେ ତା ଆୟତ୍ତ କରି ନ ପାରିବ ଭାଷା,

କେବଳ ନିରବତାରେ ଉଠୁଛି ତା ଫୁଟି,

 

ଭାଷାର ଅସାଧ୍ୟ ଯେଉଁ ଭାବ ଆନୟନ,

କରେ ନିରବତା ସିନା ଅଭିବ୍ୟକ୍ତି ତାରା

ହୋଇଣ ଆତ୍ମସଂବୃତା କେତେକ୍ଷଣ ପରେ

ଭାଳିଲା ଗୋଲାପ ନେତ୍ରା ସ୍ୱଗତେ ଏସନ,-

 

‘‘କି କଠୋର ଉପହାସ, ଆହୋ, ଅଦୃଷ୍ଟର !

କି ଅସହ୍ୟ ଅପମାନ, ହାୟ ରେ କପାଳ !

ଧିକର ହଟିଆ, କି ନ କରୁ ଅନୁକୂଳେ,

ପୁଣି କି ନ କରିପାରୁ ପ୍ରତିକୂଳେ ଭଲା !

 

କିପାଁ ବା ନିନ୍ଦୁଛି ତୋତେ, କି ଦୋଷ ତୋହୁର

ପୋଡ଼ା ସୌନ୍ଦର୍ଯ୍ୟ ତ ମୋର ଜୀବନ-ଭଗାରୀ ।

ଏଡ଼େ ନିଉଛଣା ଯଦି ସୌନ୍ଦର୍ଯ୍ୟ ଏ ଭବେ,

ନୁହେଁ କି ଲୋଡ଼ିବା ତାହା ବାତୁଳାଣୀ ରାତି ?

 

ଧନ୍ୟ ତେବେ ଏ ଜଗତେ କୁରୂପା ରମଣୀ ।

ସୌନ୍ଦର୍ଯ୍ୟ ଆକୃତିବନ୍ତ ହୋଇଥାନ୍ତା ଯେବେ,

ଏହିକ୍ଷଣି ଫିଙ୍ଗି ତାହା ଦିଅନ୍ତି ଅନଳେ ।

ହଳାହଳ ଜ୍ୱାଳାମୟ ଏ ସୌନ୍ଦର୍ଯ୍ୟଯୋଗେ

 

ମଣେ ଯେ ସୌଭାଗ୍ୟବତୀ, ସେ ନାରୀପୟରେ

ଦୂରୁ ଗଜଲଗ୍ନବାସେ ପରାର୍ଦ୍ଧେ * ଜୂହାର,

ସତୀପକ୍ଷେ ସେ ସୌଭାଗ୍ୟ ବଳେ ଅଭିଶାପୁ ।

ପାପ ପରକାଳ ଭୟ ନାହିଁ ଯବନର,

* ସଂଖ୍ୟାର ଶେଷ ସୀମା ।

 

ମାତି ବଳଦର୍ପେ ଦୁଷ୍ଟ, ଘାରି ମୋହ-ମଦେ,

ଦୂରାକାଙ୍‌କ୍ଷା-ହାନ୍ଦୋଳାରେ ଖେଳୁଛି ଆନ୍ଦୋଳି,

ମାତ୍ର ଯେବେ କାଳ ତାର ପରଖିବ ବଳ,

ସେ ଦିନ ସେ ହେବ ଚୂର୍ଣ୍ଣ ହାନ୍ଦୋଳା ସହିତେ ।

 

ଆନ ପକ୍ଷେ ବହ୍ନିକଣ ଭୀତି ଉତ୍ପାଦକ,

କିନ୍ତୁ ତାହା ଚକ୍ରବାକ ଗିଳେ ଅବହେଳେ ।

ପୈଶାଚିକ ଅତ୍ୟାଚାରେ ଗଠିତ ଯା ଦେହ,

ଏଭଳି ନାରକୀ ଜନେ ଛୁଇଁ ରାଜପଦ,

 

ହୁଏ ଘୃଣ୍ୟ, ଅପବିତ୍ର, ଆବର ବିକୃତ ।

ଯେଉଁ ସିଂହାସନେ ବସି ସୁଧୀ ଆକବର,

[ ଆର୍ଯ୍ୟପରାୟଣ, ଧାର୍ମିକ ସମ୍ରାଟ ]

କଲେ ବିସ୍ତରିତ ଏହି ବିଶାଳ ଭରତେ

 

ଗୌରବ-ଗରିମାରାଗ, ସେହି ସିଂହାସନେ

କଲା ଘୋର କଳଙ୍କିତ ଏ କୁଳପାଂଶୁଳ,

କେମନ୍ତେ ସହିଛି ଅବା ସେ ଧର୍ମ-ଆସନ

ପାପିଷ୍ଠର ଏ ଅନୀତି, ନ ହୋଇ ଶତଧା !

 

ପିତା ମୋ ସାମନ୍ତରାଜ, ନ ହେବେ ସାହସୀ

ସମ୍ରାଟ ବିରୁଦ୍ଧେ ଶସ୍ତ୍ର ଉତ୍ତୋଳନେ କେବେ,

ଏ ସଙ୍କଟକାଳେ ଏକା ହେବ କରିବାକୁ

ମୋତେ ଉଦ୍ଭାବନା, ମୋର ସମୁଦ୍ଧାର ପଥ,

 

କେ ଏବେ ଉଦ୍ଧାରକର୍ତ୍ତା ଏ ଭାଗ୍ୟହୀନର ?

ଲୋଡ଼ନ୍ତି ସହାୟ ଅବା ମାରବାର ନୃପେ,

ମାତ୍ର ତାହା ଅସମ୍ଭବ, ଯବନପତିର

ଅଟନ୍ତି ବେତନ-ଭୋଗୀ କ୍ରୀତଦାସ ସେହୁ ।

 

ତେବେ କି ଉପାୟ ନାହିଁ ଆତ୍ମରକ୍ଷଣର ?

ରଖିବାକୁ ଆର୍ଯ୍ୟଧର୍ମ ଗୌରବ ଅକ୍ଷତ,

କରିବାକୁ ଆର୍ଯ୍ୟବାଳା ସତୀତ୍ୱରକ୍ଷଣ,

ନ ହେବେ କି ଅଗ୍ରସର କେହି ଆର୍ଯ୍ୟବୀରେ ?

 

ଏଭଳି ବୀରେନ୍ଦ୍ରସିଂହ ନାହିଁ କି ଭାରତେ ?

ଚିର ବୀର-ଲୀଳାଭୂମି ଅଭିଖ୍ୟା ଯାହାର,

ମହୀୟସୀ ମାତା ଯେହୁ ଭୀଷ୍ମ, ଦ୍ରୋଣ, ଭୀମ,

ଅର୍ଗୁନ ରାଧେୟ ଆଦି ରଥୀନ୍ଦ୍ରକୁଳର,

 

ସତ୍ୟ ସତ୍ୟ ସେ ଦେଶ କି ବୀରଶୂନ୍ୟ ଏବେ !

ହେଲେ ହେଉ ନିର୍ବୀରା ସେ, କି କ୍ଷତି ତହିଁରେ,

ନାହିଁ କି ଉପାୟ ଆନ ସତୀତ୍ୱ ରକ୍ଷାର ?

ଜଳମଗ୍ନ, ଉଦ୍‌ବନ୍ଧନ, ଶାଣିତ ଛଉରିକା, ।

 

ବିଷ, ଏ ଉପାୟମାନ ନୁହେଁ ତ ଦୁର୍ଲ୍ଲଭ,

ଏ ଉତ୍ତାରେ ଅଛି ପୁଣି କୌଳିକ ଆଚାର,

ପୂର୍ବ ପିତାମହୀଙ୍କର ପ୍ରିୟ ଅନୁଷ୍ଠିତ

ପବିତ୍ର ଜହରବ୍ରତ, ଶେଷାଶ୍ରୟ ସେହୁ ।

 

ଏ ସକଳ ସାଧାରଣ ଉପାୟ ସକାଶେ,

କାହା ଅନୁଗ୍ରହ ଭିକ୍ଷା ନୁହେଁ ଆବଶ୍ୟକ ।’’

ଏହିରୂପେ ନାନା ଚିନ୍ତା ଖେଳିଲା ମାନସେ

ବାଳାର, ମାନସେ ଯଥା ମରାଳୀ-ମାଳିକା,

 

ମାତ୍ର ଯେଣୁ ମନସ୍ୱିନୀ ମହାଧୈର୍ଯ୍ୟବତୀ,

ହେଲା ନାହିଁ ଆର୍ଦୀଭୂତା ତେଣୁ ସେ ଚିନ୍ତାରେ,

ବୃଷ୍ଟିଜଳେ ସାରୁପତ୍ର ପ୍ରାୟ । ହେଲା କ୍ରମେ

ରଜନୀ ଅଧିକ, ଉଠି ଊର୍ଦ୍ଧ୍ୱନଭେ ଶଶୀ

 

ବରଷିଲା ଜ୍ୟୋତ୍ସ୍ନାମୃତ ସହ ଶୋଭାମୃତ,

ପିଇଲା ପ୍ରମୋଦଭରେ ସେ ମହା ଅମୀୟ,

ବିରଳ ତାରକାସହ ଦର୍ଶକ-ନୟନ ।

ପ୍ରତେ ହୁଏ ଚନ୍ଦ୍ର ଯେହ୍ନେ ସ୍ଫୁଟିକ-ବେହେରା,

 

ପୂର୍ଣ୍ଣ ତହିଁ ଦେବଗାଭୀ କାମଧେନୁ କ୍ଷୀର,

ବୈଶାଖ * ଅଙ୍କ କଳଙ୍କ, ତା ତୀବ୍ରମନ୍ଥନେ

ତାରାବ୍ୟାଜେ ଦୁଗ୍‌ଧଫେନ ପଡ଼ିଛି ଛିଡ଼ିକି ।

ସେ କାଳ ନୀଳାକାଶର ମଧୁର ମାଧୁରୀ

* ଖୁଆ

 

ହୋଇଣ ପ୍ରତିବିମ୍ବିତ, ପୁଷ୍ପହାସଛଳେ

କାନନ-ନୀଳଦର୍ପଣେ, କେ ନଭ କେ ବନ,

କିମ୍ବା କେ ଅନୁକରଣ କରିଛି କାହାର,

ନ ପାରିଲେ ବାରି ଭାବ-ତନ୍ମୟ ଭାବୁକେ ।

 

ଚନ୍ଦ୍ରଶାଳାପୁରେ ଜେମା ଗବାକ୍ଷପଥରେ

ଦେଖୁଥିଲା ଶୋଭାପ୍‌ସରା ଜ୍ୟୋତ୍ସ୍ନା-ନୃତ୍ୟଶୋଭା

ଇତସ୍ତତଃ ମନେ, ଚିନ୍ତାଯୋଗେ ଦୃଶ୍ୟ, ପୁଣି

ଦୃଶ୍ୟଯୋଗେ ଚିନ୍ତା, ଖେଳୁଥାନ୍ତି ଲୁଚକାଳି

 

ତାହାକୁ ମଧ୍ୟସ୍ଥ ପଣେ କରି ବୁଢ଼ିଆଣୀ ।

ସେ ଉଭୟ ସନ୍ଧିସ୍ଥଳେ ରହି ପ୍ରଭାବତୀ,

ଉପଭୋଗ କରୁଁ କରୁଁ ଉଭୟର ଲୀଳା,

ଘାରିଲା ନୟନେ ନିଦ୍ରା, ହେଲା ସେ ଶାୟିତା ।

 

କେତେ କ୍ଷଣ ପରେ ବାଳା ଦେଖିଲା ସ୍ୱପନେ

ଅଗ୍ରେ ଉଭା ଜଗଦମ୍ବା, ଜଗନ୍ଣିବାସିନୀ,

ଧରି ଭକ୍ତି-ଆକର୍ଷଣୀ ମୁର୍ତ୍ତି, ଚାରୁତମା,

ଆହା, ଯେଉଁ ମୂର୍ତ୍ତି ଭରା ସ୍ନେହଦୟା ଆଦି

 

ମାତୃଭାବେ, ହେରି ଯାହା କୃତାର୍ଥ ଭକତ,

ସେହି ସୁଶୀତଳରୂପେ ଦେଖାଦେଲେ ଦେବୀ ।

ରହିଛି ଦକ୍ଷିଣ କର ଚିର-ପ୍ରସାରିତ,

ବାତାହୁତ ଶତଦଳ ପାଖୁଡ଼ା ପରାଏ

 

ବରଦାନ ଅର୍ଥେ, ଆନ, ଆଶ୍ୱାସନା ପାଇଁ ।

କରୁଣା ବାତ୍ସଲ୍ୟମୟ ମଧୁସିକ୍ତ ଗିରେ

ସମ୍ବୋଧି ବାଳାକୁ ଦେବୀ, ଭାଷିଲେ ଏସନ,-

‘‘ଜେମାମଣି, ଚିହ୍ନିଲୁଟି ମୋତେ ? ଅଟେ ମୁହିଁ

 

ରାଜପୁତ ଇଷ୍ଟଦେବୀ, ତୋ ଚିରପୂଜିତା,

ନ ପାରି ତୋ ଦୁଃଖ ସହି, ଆସିଲି ତୋ ପାଶେ,

ଭକ୍ତବ୍ୟଥା ବାଜେ ହୃଦେ କୋଟିବଜ୍ରୁ ବଳି !

ମହିଷ, ନିଶୁମ୍ଭ, ଶୁମ୍ଭ ଆଦି ରକ୍ଷୋବଧେ,

 

ଲଭିଛି ଯେ କଷ୍ଟ ମୁହିଁ, ତାହା ତୁଳନାରେ

ଭକ୍ତ ଦୁଃଖ ବିନ୍ଦୁ ସିନ୍ଧୁ, କଠୋର ଦୁଃସହ ।

ମନାସୁ କିପାଇଁ ମା ଲୋ ଆତ୍ମହତ୍ୟା ବୃଥା,

ପାପ ଅମଙ୍ଗଳ ତାହା, ଆତ୍ମରକ୍ଷା ସିନା

 

ମୁଖ୍ୟ ଧର୍ମ ରକ୍ଷା, ଧର୍ମ ଆତ୍ମାର ଆଶ୍ରିତ ।

ଜୁହ ତୁ ହତାଶ କେବେ, ହରିପାରେ କିଏ

ସତୀର ସତୀତ୍ୱ-ଧନ, କିଏ ଅବା କ୍ଷମ

ହରଣେ ବୈଶ୍ୱାନରର ରୁଦ୍ରଜ୍ୱାଳ ତେଜ,

 

ଚକ୍ରପାଣି ସତୀତ୍ୱର ପ୍ରବଳ ପ୍ରହରୀ ।

ତେଜ ବତ୍ସ ରାଜବାଳା, ଆଶଙ୍କା, ଭାଳୁଣି,

ଅଛି ଲୋ ରକ୍ଷକ ତୋର, ରାଣା ରାଜସିଂହ,

ମିବାର-ଗୌରବ-ରବି, ବୀରଚୂଡ଼ାମଣି,

 

ଉଦ୍ଧାରିବ ତୋତେ ଏହି ଉପସ୍ଥିତ ଭୟ ।

ଆଶ ତୁ ନିମନ୍ତ୍ରି ତାକୁ ବେଗେ ପତ୍ର ପେଷି

ମୋର ଆଜ୍ଞାମତେ, ଜିଣି ଶତ୍ରୁ, ରଖିବ ସେ,

ଚିର ଊର୍ଜ୍ଜସ୍ୱଳ ଆର୍ଯ୍ୟକୁଳର ଗୌରବ’’

 

ଏହା ଭାଷି ଅନ୍ତର୍ହିତା ହେଲେ କାତ୍ୟାୟନୀ ।

ନିଦ୍ରାନାଶେ ସ୍ୱପ୍ନକଥା ହେତୁ କରି ବାଳା,

ବିପୁଳ ଆନନ୍ଦସହ ଲଭିଲା ଅଶ୍ୱାସ,

ଉଦ୍ଦେଶରେ ଦେବୀପଦେ ବିହିଲା ପ୍ରଣତି ।

 

ଚତୁର୍ଥ ସର୍ଗ

 

ଶେଷ ହେଲା ନିଶୀଥିନୀ, ଆସିଲା ପ୍ରଭାତ,

ଦୈନ୍ୟାନ୍ତେ ସୌଭାଗ୍ୟ ଯଥା, ଦିବସ-ଡ଼ଗରା,

ଅବତାର କି ସେ, ବିଧି-ପ୍ରେରିତ ପୁରୁଷ

କଳୁଷ-ଅନ୍ଧାରେ ବ୍ୟାସ୍ତ ଦେଖି ବସୁନ୍ଧରା,

କଲା ବିକିରଣ ଆସି ସତ୍ୟଧର୍ମାଲୋକ ।

ଭାଷାବ୍ୟାଜେ ପାଟଶାଢୀ ପିନ୍ଧି ପୌରନ୍ଦରୀ,

ବନ୍ଦାଇଣ କାବ୍ୟତାରା-ଦୀପ୍ତ-ରତ୍ନଦୀପେ,

ବିଜେ କରାଇଲା ଧୀରେ ଦିବସ-ସମ୍ରାଟେ,

ବଜାଇଲା ଶଙ୍ଖଚିଲ ମଙ୍ଗଳମହୁରୀ,

ଦେଲେ ହର୍ଷେ ହୁଳାହୁଳି ଅପର ଗୋଳି,

ଫୁଙ୍କିଲା ଭ୍ରମର ଶଙ୍ଖ, ପ୍ରବୀଣ ଶଙ୍ଖୁଆ ।

ସାଧୁ ହୃଦୁ ଶୀତଳତା ଚୋରିକରି ବାତ,

ବହିଲା ମୃଦୁମଧୁରେ, ଢ଼ାଳିଲେ ଚାମର

ବୃକ୍ଷେ, ଶାଖାସଞ୍ଚାଳନ ଛଳେ, କେହି ଅବା

ଧରିଲେ ପୁଷ୍ପ ଆଢ଼େଣୀ, ପୁଷ୍ପଛତ୍ର, ତ୍ରାସ,

କୁଞ୍ଚିତ ଖଦିକା ବକେ ଚାଳିଲେ ଆକାଶେ ।

 

ପଦ୍ମିନୀକୁ ବିଷାଦିନୀ ହେରି କୁମୁଦିନୀ,

ରମଣୀଧର୍ମ-ସୁଲଭ ଅନୁକମ୍ପାବଶେ

ଅର୍ପିତାକୁ ନିଜ ହର୍ଷ, ମୁଦିଲା ନୟନ,

ଦେଖାଇଲା ଜଗତେ ସେ ନୀରବ ସଙ୍କେତେ,

 

ଅଦ୍ଭୁତ ସ୍ୱାର୍ଥତ୍ୟାଗର ଆଲେଖ୍ୟ ଉଜ୍ଜ୍ୱଳ ।

ଆହା ଯେ ସୁକୃତିବନ୍ତ ଅନ୍ଧ ଆତ୍ମସୁଖେ,

ପୁଣି ପରଦୁଃଖେ ସଦା ଦିବ୍ୟ ଚକ୍ଷୁଷ୍ମାନ,

ସେହୁ ମୁକ୍ତ, ଭାଗ୍ୟଧର, ସ୍ୱାର୍ଥଦଗ୍‌ଧ ଭବେ ।

 

ତାହାରି ଚରଣରେଣୁ ତୀର୍ଥରେଣୁ ପ୍ରାୟ

କରେ ପାପ ନାଶ, କରେ କପାଳେ ତିଳକ ।

ଉଠିଲେ ମାନବେ ନିଦ୍ରା-ଅସ୍ଥାୟୀ ମରଣୁ,

ଧନ୍ୟ ସେ ମରଣ ସୁଖ, ମହାତୃପ୍ତିପ୍ରଦ,

 

ମାତ୍ର କି ଆଶ୍ଚର୍ଯ୍ୟ, ଭୁଞ୍ଜି ପ୍ରତିରାତ୍ରେ ନର

ସେ ମୃତ୍ୟୁରେ ଶାନ୍ତି ସ୍ୱାଦୁ, ତଥାପି କେ ଜାଣି

ଶୁଣି ମୃତ୍ୟୁ ନାମ ଉଠେ ଚମକି କିପାଇଁ ।

ମୃତ୍ୟୁନିଦ୍ରା ମଧ୍ୟେ ନାହିଁ ବିଶେଷ ପ୍ରଭେଦ,

 

ପ୍ରଭେଦ ଏତିକି, ନିଦ୍ରା ଭାଙ୍ଗିଯାଏ ପ୍ରାତେ,

ମାତ୍ର ମୃତ୍ୟୁ ମହାନିଦ୍ରା ଚିର ଅଭଙ୍ଗୁର ।

ଦେଲେକ ପିନ୍ଧାଇ ରବି କମଳିନୀଗଜେ

କିରଣ-ସୁବର୍ଣ୍ଣହାର, ହେଲା ବେନିଙ୍କର

 

ନୀରବ ଉଦ୍‌ବାହ ଶୁଭେ, ଦିଶିଲା ପୀତାଭ

ସୃଷ୍ଟି, ପିନ୍ଧିଛି କି ଧନୀ, ହାରିଦ୍ରବସନ

ରଶ୍ମି-ସୂତ୍ରେ ବୁଣା, ଏହି ବିବାହ ଉତ୍ସବେ ।

ଏ କାଳେ ନରେନ୍ଦ୍ର-ଜେମା ମିଳି ପିତୃପାଶେ,

 

ପ୍ରଣମି ପୟରେ, ସିନ୍ଧୁପଦେ ବୀଚି ପ୍ରାୟ,

( ଅବା ଶାସ୍ତ୍ରପଦେ ନମେ ସୁନୀତି ଯେସନ )

ନିବେଦିଲା ନିଶିଦୃଷ୍ଟ ସ୍ୱପ୍ନ ବିବରଣ ।

ରାଣାଙ୍କର ବୃଦ୍ଧିବୃତ୍ତି ଯାଇଥିଲା ଉଡ଼ି

 

ଶୂନ୍ୟେ କାହିଁ, ଅନୁଦ୍ଦେଶ୍ୟ କେବଣ ପ୍ରଦେଶେ

କଲାବେଳୁ ପତ୍ରପାଠ ଯବନର, ତାକୁ

ଆଣିଲା ଫେରାଇ ଖରେ ପ୍ରଭାବତୀ ବାଣୀ,

ଖେଳିଲା ନୈରାଶ୍ୟ-ତମେ ଆଶାର ଖଦ୍ୟୋତ,

 

ମରୁ - ନଭେ ନବଘନ ପାତିଲା ଆସନ ।

କନ୍ୟାମୂଖୁ ନରପତି ଶୁଣି ଏ ସନ୍ଦେଶ

ଲଭିଲେ ବିସ୍ମୟ, ହର୍ଷ, ଶାନ୍ତି ଯୁଗପତ,

ଶୁଭିଲା କି ଅକସ୍ମାତ ବାର୍ଦ୍ଧକ୍ୟ ଶ୍ରବଣେ,

 

ସୁଖମୟ ଶୈଶବର ଅମୃତ ଆହ୍ୱାନ,

ଆଶଙ୍କା ଉତ୍ତାରୁ ଶାନ୍ତି ଆହା କି ମଧୁର !

ପ୍ରାଫୁଲ୍ଲ୍ୟର ପୂର୍ଣ୍ଣଦୀପ୍ତି ହେରି କନ୍ୟାମୁଖେ,

ଅପତ୍ୟବାତ୍ସଲ୍ୟ ତାଙ୍କ ଉଠିଲା ଉଛୁଳି,

 

ସ୍ୱର୍ଗୀୟ ଅମୂଲ୍ୟ ନିଧି ନିଶ୍ଚେ ପିତୃସେହ,

ଜାତ ସେହୁ ମନ୍ଦାକିନୀ ମଙ୍ଗଳ ଧାରାରୁ,

ଅନ୍ୟଥା କି ହୋଇଥାନ୍ତା ଏତେ ପବିତ୍ରତା,-

କୋମଳତା, ଉଦାରତା, -ମମତାଜଡ଼ିତ ।

 

କିମ୍ବା ସେ ସାକ୍ଷାତ ସ୍ୱର୍ଗ, କରାଏ ପରାଣେ,

ବିଷମୟ, ତିକ୍ତମୟ, ଏ ବିକଟ ଭବେ,-

ବିଶୁଦ୍ଧ ଅମୃତ ସ୍ୱାଦୁ ଉପଲବ୍‌ଧି ଏକା ।

ଭାଷିଲେ ନୃପତି, ‘‘ବତ୍ସେ, ବଞ୍ଚାଇଲୁ ମୋତେ,

 

ଜୀର୍ଣ୍ଣଶୀର୍ଣ୍ଣକାୟ ମୁହିଁ ତୋହରି ଚିନ୍ତାରେ,

କରାଇଲା ଠିଆ ମୋତେ ଅଦୃଷ୍ଟ ମୋହର

ଜୀବନର ଏହି ତପ୍ତବୈତରଣୀ ତଟେ,

ନ ପାଇ ମୁଁ କେଣେ କିଛି ତରିବା ସମ୍ବଳ,

 

ହୋଇଥିଲି ଜୀବନ୍ମୃତ, ଦେଇ ତୁ ଏ କାଳେ

କର୍ଣ୍ଣେ ସଞ୍ଜୀବନୀ ମନ୍ତ୍ର, ରଖିଲୁ ସଙ୍କଟୁ ।

ତୋହୋ ଯୋଗେ ଭାଗ୍ୟଧର ପିଅର ତୋହର,

ଦେବୀ-କୃପାଲବ୍‌ଧା ତୁହି, ମୁଁ ତୋର ଜନକ,

 

ନୁହେଁ କି ମୋ ଭାଗ୍ୟେ ଏହା ଅତୁଳ ଗୌରବ !

ଦେବୀଙ୍କ ସକାଶେ ଟେକ ରାଜପୁତ ଜାତି,

ଧନେ ମାନେ ଯଶେ ବୀର୍ଯ୍ୟେ ନିଖିଳ ଭାରତେ,

ଅବ୍ୟର୍ଥ ତାଙ୍କର ବର, ଅବ୍ୟର୍ଥ ଯେସନ

 

ମୁଗୁନିପଥରେ ଗାର, ବିନ୍ଧାଣୀ-ଅଙ୍କିତ,

କର ତୁ ଯା କାର୍ଯ୍ୟ ବେଗେ ତାଙ୍କ ଆଜ୍ଞାମତେ ।‘‘

କରି ଶିରୋଧାର୍ଯ୍ୟ ଜେମା ଜନକ ଆଦେଶ,

ବନ୍ଦି ତାଙ୍କ ପାଦପଦ୍ମ, ଶୁଦ୍ଧାନ୍ତେ ବାହୁଡ଼ି,

 

ଲେଖିଲା ପ୍ରାର୍ଥନାପତ୍ର ମିବାର ଭୂପାଳେ -

‘‘ଜଣାଏ ପ୍ରଣତି ପଦେ ରୂପନଗରର

ରାଜଜେମା ପ୍ରଭାବତୀ, ଘେନା ହେଉ ଦେବ,

ପଡ଼ିଛି ମୁଁ ଅନାୟତ୍ତେ ବିଷମ ସଙ୍କଟେ,

 

ଶୁଣିଲେ ମୋ ଦୁଃଖ, ଅହୋ ଥାଉ ଆନ କଥା,

ଜଡ଼ ତରୁଲତା ସୁଦ୍ଧା ତେଜିବେ ଲୋତକ ।

ଲାଗିଥାନ୍ତି ଧନ ପରି ରୂପ ପଛେ ସଦା

ବୈରିଦଳ, ନୁହେଁ ଏହା ଛାମୁରେ ଅଜଣା,

 

ଯେଉଁ ରୂପ ପ୍ରତି ସ୍ୱତଃ ଆକୃଷ୍ଟ ଜଗତ,

ପାପ ବ୍ୟଭିଚାର ଯାର ନିତ୍ୟ ସହଚର,

ସେହି ପୋଡ଼ା ରୂପ ମୋର ହୋଇଛି ଭଗାରୀ,

ଦେହଜାକ ବ୍ୟାଧି ହାୟ ବିପକ୍ଷ ଦେହର ।

 

ଦୁର୍ଭାଗ୍ୟରୁ ମୋ ରୂପରେ ହୋଇ ବିମୋହିତ

ଯବନ ଆରଙ୍ଗଜେବ, କୁମ୍ଭୀପାତ କୀଟ,

ପଠାଇଛି ପରିଣୟ ପ୍ରସ୍ତାବ ପତ୍ରିକା

ଦ୍ୱିସହସ୍ର ଅଶ୍ୱାରୋହୀ ସହ, ପ୍ରଦର୍ଶାଇ

 

ଭୟ, ପିତା ମୋର କ୍ଷୁଦ୍ର ସାମନ୍ତ ନୃପତି,

ନୋହିବେ ସକ୍ଷମ କେବେ ତା ସହ ବିବାଦେ,

ନ ପାଇ ଏ ବିପଦର ପ୍ରତିକାରୋପାୟ

ନିନ୍ଦୁଛନ୍ତି ସେହୁ ସ୍ୱୀୟ କ୍ଷତ୍ରିୟବିକ୍ରମେ,

 

ଆପଣା ନିକଟେ ଆପେ ହେବା ଅପ୍ରତିଭ,

ବିଜ୍ଞଜନ ପକ୍ଷେ ଅଟେ ଶାସ୍ତି ସୁକଠୋର,

ମୃତ୍ୟୁ ସମ, ବିଶେଷତଃ ଅପମାନ ସିନା

ମହାମାନୀ କ୍ଷତ୍ରିୟର ଜୀବନ୍ତ ମରଣ ।

 

ଶରଣପ୍ରାର୍ଥିନୀ ଆଜି ତବ ପାଶେ ନୃପ,

ରୂପନଗରର ଜେମା, ଦେବୀ ସ୍ୱପ୍ନାଦେଶେ,

ସ୍ୱଧର୍ମ ରକ୍ଷାର୍ଥେ, ନୁହେଁ ପ୍ରାଣରକ୍ଷାପାଇଁ,

ଧର୍ମ ଏକା ଧରଣୀର ସରଳ ସୁପଥ

 

ପୁଣି ସ୍ୱର୍ଗର ଆଲୋକ, ରଖେ ସେ ରକ୍ଷକେ,

ରକ୍ଷାକରି ପାତିବ୍ରତ୍ୟ ଧର୍ମ ଅବଳାର,

କର ଧର୍ମରକ୍ଷୀ ଆଖ୍ୟା ଗୌରବ ବର୍ଦ୍ଧନ,

ସେ ମହାଗୌରବ - ରତ୍ନେ ରଖ ବିନିର୍ମ୍ମାଣି

 

ଅନଶ୍ୱର ଆଭାମୟ ବୈକୁଣ୍ଠ-ବିମାନ ।

ବୀର ତୁମ୍ଭେ, ବୀରଜାତି-ପତି, ମହାମନା,

ଏଣୁ ମୋ ବିଶ୍ୱାସ, କେବେ ନ ପାରିବ ସହି

ଜାତୀୟ ଅବମାନନା, ଏ କୁଳ- ଲାଞ୍ଛନା ।

 

ହେବ ଆର୍ଯ୍ୟକୁଳନାରୀ ଯବନଗୃହିଣୀ,

ପିକବାଳା ହେବ ଦୁଷ୍ଟ କାକସହଚରୀ,

ଅଥବା ଦଳିବ ପଦେ ଦୂରନ୍ତ ବାନର

କୋମଳାଙ୍ଗୀ ଶେଫାଳିକା, ସହିବ କି ଏହା

 

ରାଜପୁତବୀର ପ୍ରାଣେ, ଅସମ୍ଭବ ଅତି;

ପରିଜ୍ଞାତ ବୀରେ ସିନା ସତୀତ୍ୱ ସମ୍ମାନ ।

କରୁଛି ମୁଁ ଏହି ସତ୍ୟ, ଯବନ କବଳୁ

ଉଦ୍ଧାରିଲେ ତୁମ୍ଭେ ମୋର ପାତିବ୍ରତ୍ୟ-ମଣି,

 

ବରିବି ତୁମ୍ଭଙ୍କୁ ନିଶ୍ଚେ ଧର୍ମପତି ରୂପେ ।

ଶୁଣି ଯଥା ରୁକ୍ମିଣୀଙ୍କ କାତର ପ୍ରାର୍ଥନା

ଯଦୁପତି, ଜଗତର ଅନ୍ତିମ ଶରଣ,

ଉଦ୍ଧାରିଲେ ଆସି ତାଙ୍କୁ ଶିଶୁପାଳ ତ୍ରାସୁ

 

ତଥା ବୀରବର, ତ୍ୱଚା ତାରି ଏ ସଙ୍କଟୁ,

ସେହି ମୂଲ୍ୟେ କିଣ ମୋତେ ସେବିକାପଣରେ,

ଏତିକି ମାଗୁଣି ମୋର ଚରଣେ କେବଳ ।’’

 

ପେଷିଲା ଏ ପତ୍ର ବାଳା ପୁରୋହିତ ହାତେ

ସଂଗୋପନେ, ମହାବୀର ରାଜସିଂହ ପାଶେ

ଏହି କାଳେ ମୂହୁର୍ମୂହୁଃ ସ୍ଫୁରିଲା ସଘନେ

ବାମନେତ୍ରା ବାମନେତ୍ର, ଜାଣି ତାକୁ ଜେମା

ମଙ୍ଗଳ ଶକୁନ, ହେଲା ହୃଷ୍ଟମତି ଅତି ।

 

ଏଥୁଅନ୍ତେ ଯଥାକାଳେ ପ୍ରବେଶି ପୁରୋଧା

ମିବାର ନବରେ, ଭେଟି ରାଣା ରାଜସିଂହେ,

ଅର୍ପିଲା ଛାମୁରେ ପତ୍ର, ଧୀରେ ସବିନୟେ ।

ସାଗ୍ରହେ ତା ଆମୂଳାନ୍ତ ପାଠକରି ରାଣା,

 

ହେଲେ ଉତ୍ତେଜିତ କ୍ରୋଧେ, ମୃଗେନ୍ଦ୍ର ଯେସନ

ଶତ ତୀକ୍ଷଣ୍‌ବାଣବିଦ୍ଧ ହୋଇ ଏକକାଳେ;

ଜାଗିଲା ଜିଘାଂସା, ଘୃଣା, ଜିଗୀଷା ହୃଦୟେ,

ଦୁର୍ବୃତ୍ତ ଯବନପତି ଘୋର ଅତ୍ୟାଚାର

 

ଦେଲା ବ୍ୟଥା ମର୍ମେ ମର୍ମେ, ଭାଷିଲେ ସେ ତହୁଁ

‘‘ଅହୋ, ବାନ୍ଧିଅଛି ଦୁଷ୍ଟ କେଡ଼େ ବଡ଼ ଗାହା, *

ପାପୀ, ଆର୍ଯ୍ୟଧର୍ମଦ୍ୱେଷୀ, ମାନବ - ପିଶାଚ,

ଜଘନ୍ୟ ଜିଜିଆ କର ପୁନଃସଂସ୍ଥାପନେ,

* ସାହସ ।

 

ବଢ଼ିଛି ସାହସ ତାର, ତେଣୁ ସେ ଏଣିକି

ଆର୍ଯ୍ୟଧର୍ମ ନାଶିବାକୁ ବସିଛି ସମୂଳେ,

ମାତ୍ର ତାର ଦୁରାକାଙ୍‌କ୍ଷା ନ ହେବ ସଫଳ

ସ୍ୱପ୍ନେ ସୁଦ୍ଧା କେବେ, ଥିବ ଯେତେ ଦିନଯାଏ,

 

ରାଜପୁତ ବୀରଦେହେ ବିନ୍ଦୁଏ ଶୋଣିତ ।

ପୂର୍ଣ୍ଣ ଏବେ ଭାଗ୍ୟ ତାର, ତାହାରି ପାତକେ,

ଅବିଳମ୍ବେ ଛାଡ଼ିଯିବ ଭାଗ୍ୟ ଏବେ ତାକୁ,

ପାଚିଲେ ଗଛରୁ ଫଳ ଝଡ଼ିପଡ଼େ ଆପେ ।

 

ଦୁରାତ୍ମା ଦୌରାତ୍ମ୍ୟ ହେଲା ଅସହ୍ୟ କ୍ରମଶଃ,

ନ ଲଭିଲେ ଯୋଗ୍ୟ ଶାସ୍ତି, ହେବ ନାହିଁ ସ୍ଥିର,

ଖଳ ନିର୍ଯ୍ୟାତନ ସ୍ପୃହା ନ ଦେଖି ଚରମ

ହୁଏ ନାହିଁ ଶାନ୍ତ, ଏହା ନିସର୍ଗ ନିୟମ ।

 

ସ୍ୱାଧୀନତା ଲୀଳାଭୂମି ମିବାର ଜନନୀ,

ଘୃଣ୍ୟ ଦତ୍ତଭୂମି ଆଖ୍ୟା ଲଭିଅଛି ଏବେ,

ଆବର ରମଣୀ ପୀଡ଼ା, ଧର୍ମରେ ଆଘାତ,

କେ ସହିବ ଏହା, ବହି ବୀରରକ୍ତ ମାଂସ ।

 

ଆମ୍ଭରି ପୂର୍ବ ପୁରୁଷ ପ୍ରତାପୀ ପ୍ରତାପ,

ପଞ୍ଚବିଂଶ ବର୍ଷ ବ୍ୟାପୀ ଭାଷଣ ସମରେ

ରତ ହୋଇ ଚକ୍ରବର୍ତ୍ତୀ ଆକବର ସହ,

କଲେ ତାଙ୍କୁ ବ୍ୟତିବ୍ୟସ୍ତ, ଆପେ ଲଭି ଦୁଃଖ,

 

ରାଜା ହୋଇ ଦୀନପ୍ରାୟ ବୁଲି ଶୈଳେ ବନେ

ସକୁଟୁମ୍ବେ ଅହରହ, ମାତ୍ର ସେ ତଥାପି,

ନୋହିଲେ ଜୀବକ୍ତେ କେବେ ଯବନର ବଶ,

ହୋଇ ତାଙ୍କ ବଂଶଧର, ତାଙ୍କ ରକ୍ତ ବହି,

 

କିପାଁ ଏତେ ଭୟ ଛାର ବିଧର୍ମୀ ଯବନେ ।

ଯେ ରମଣୀ ମୂର୍ତ୍ତିମତୀ ପ୍ରକୃତିରୂପିଣୀ,

ସହାୟ ସଂସାରେ ଯେହୁ ମାତା, ପତ୍ନୀ ଆଦି

ନାନାରୂପେ, ସେ ରମଣୀ ପରିରକ୍ଷା ବ୍ରତେ

 

ଯେଉଁ ଜାତି ଅସମର୍ଥ, ସେ ଜାତି ରମଣୀ ।

ମାଗିଅଛି ପ୍ରଭାବତୀ ଆତୁରେ ଶରଣ,

ନ ଶୁଣିଲେ ତା ପ୍ରାର୍ଥନା, ହେବ ମହାପାପ,

ଅତଏବ ଯୁଦ୍ଧ କରି, ନିଶ୍ଚେ ମୁଁ ତାହାକୁ

 

ଉଦ୍ଧାରିବି ଦୁରାଚାରୀ ଯବନ ପାଲରୁ ।’’

ଭାଷିଣ ଏସନ ରାଣା, ପ୍ରଭାବତୀ ପାଶେ

ଲେଖିଲେ ଅଭୟ ପତ୍ର, ପ୍ରଦାନି ଆଶ୍ୱାସ, -

‘‘ଭୟ ନାହିଁ ଭୟ ନାହିଁ ସତୀ ପ୍ରଭାବତି,

 

କେ ହରିବ ପାତିବ୍ରତ୍ୟେ ତବ, ଥାଉଁ ଥାଉଁ

ରାଣା ରାଜସିଂହ ପ୍ରାଣେ, ନ ହୁଅ ଅଧୀରା, -

ଜୀବନର ମଧୁମୟ ବସନ୍ତ ସମୟେ

ହେରି ବର୍ଷା ଘନଘଟା । ଏ ଅନ୍ତେ ଶରତ

 

ଉଇଁ ଅଦୂର ଭବିଷ୍ୟେ, ବିତାଡି ତାହାକୁ,

କରିଦେବ ହୃଦ-ନଭେ ସ୍ୱଚ୍ଛ, ସୁନିର୍ମଳ ।

ରିପୁରକ୍ତ-ପାନପଟୁ ରାଜପୁତ ଆସି

ପିପାସିତ ବହୁଦିନୁ, ତା ଦୁର୍ବାର ତୃଷା

 

ମେଣ୍ଟାଇ ସେ ଆଶୁ ହେବ ସସମ୍ମାନେ ପୁଣି

କୋଷବଦ୍ଧ, ଉପସ୍ଥିତ ସେହିକାଳ ଆସି ।

ଧନ୍ୟ ତୁମ୍ଭେ ଧନ୍ୟ ତବ ଚାରିତ୍ର୍ୟ ଗୌରବ,

ଦେଖାଇଲ ଦେବି, ଯେଉଁ ସତିତ୍ୱ-ଆଲୋକ

 

ପୁଣ୍ୟ ପ୍ରଭାମୟ, ତାହା ସତ୍ୟ ଅନଶ୍ୱର,

ଉଜ୍ଜ୍ୱଳିବ କାଳେ କାଳେ ତା ମହାମୟୂଖ, -

ତବ ମୁଖ ସହ ଆର୍ଯ୍ୟରମଣୀ ବଦନ ।

ରଖିବ ତୁମ୍ଭଙ୍କୁ ତୁମ୍ଭ ସତୀତ୍ୱ ମହିମା,

 

ହେବି ମୁହିଁ ଉପଲକ୍ଷ୍ୟ ମାତ୍ର, ନିଜ ବଳେ

ସାଧି କାର୍ଯ୍ୟ, ଦେବ ମୋତେ ପୁଲାରେ ସୁଖ୍ୟାତି,

ପ୍ରକୃତି ପରାଏ, କରେ ନିଜେ ସବୁ ଧନୀ,

ମାତ୍ର ଆନେ ନିର୍ବିକାରେ ପ୍ରଦାନେ ଆଶଂସା ।

 

ଥାଅ ଗୋ ନିଶ୍ଚିନ୍ତେ, ଦେବି, ନ ପାଞ୍ଚିଣ ଦ୍ୱିଧା,

କାଲି ପ୍ରାତେ ସସୈନ୍ୟେ ମୁଁ କରିବି ପ୍ରୟାଣ ।’’

ପତ୍ରଦାନେ ପୁରୋହିତେ କରିଣ ମେଲାଣି

ତ୍ୱରା, ଆଦେଶିଲେ ରାଣା ସାଜିବାକୁ ସେନା,

 

ତକ୍ଷଣେ ନୃପତି ଆଜ୍ଞା ହୁଅନ୍ତେ ଘୋଷିତ,

ସାତ ସାତ ରବେ ହେଲା ନଗରୀ ମୁଖରା,

ବହିଗଲା ଉତ୍ସାହର ତୀରପ୍ଳାବୀ ନଦ

ବିଦ୍ୟୁବେଗେ, ବାହାରିଲେ ଦାଣ୍ଡେ ଦଳେ ଦଳେ

 

ସେନା ରଣରଙ୍କା, ରଣେ ଅପୃଷ୍ଠଦରଶୀ,

ମଣ୍ଡି ଅଙ୍ଗେ ଅସ୍ତ୍ର ଶସ୍ତ୍ର ବୀର-ଅଳଙ୍କାର,

ଉଦାସୀନ ହାସ୍ୟରେଖା ଅଙ୍କିତ ବଦନେ ।

ଲଲାଟେ ତ୍ରିବଳୀଛନ୍ଦ, ଭ୍ରୂକୁଟି-କୁଟିଳ

 

ବୀରଗର୍ବଗଞ୍ଜୀ, ଗତି କଠୋର ଭୀଷଣ,

ହେଲେ ଏକତ୍ରିତ ଯାଇ ରାଜ-ସିଂହଦ୍ୱାରେ ।

ଶୁଣି ବୀର-କୋଳାହଳ ରାଣା ରାଜସିଂହ,

ଆସିଲେ ଆରୋହି ଖରେ ମହାକାୟ ଗଜେ,

 

( ରୁଦ୍ରଦ୍ୟଷ୍ଟ୍ର, ଗିରିଚୂଡ଼ା-ଗୁମାନ-ବିଧ୍ୱଂସୀ )

ଦେଖି ସର୍ବେ ନରଦେବେ ନମିଲେ ଛାମୁରେ

ବୀର ବ୍ୟବହାରେ, ଟେକି ଆୟୁଧନିକର,

ଜଣାଇଲେ ବୀରୋଚିତ ବିପୁଳ ସମ୍ମାନ ।

 

‘‘ଜୟ ଜଗଦମ୍ବେ’’ ରାଣା ତ୍ରିବାର ଉଚ୍ଚାରି

ରୂପନଗରାଭିମୁଖେ କଲେ ଅଭିଯାନ,

ଘେନି ସଙ୍ଗେ ରାଜପୁତ ବିରାଟ ବାହିନୀ ।

 

ଏଥୁଅନ୍ତେ ଯଥାକାଳେ ମିଳି ପୁରୋହିତ

ପ୍ରଭାବତୀ ପାଶେ, ଦେଇ ପତ୍ର, ଜଣାଇଲା

ଶୁଭ ଆଗମନ ବାର୍ତ୍ତା ମିବାରେଶଙ୍କର,

ଶୀତକ୍ଳିଷ୍ଟ ପ୍ରକୃତିକୁ ବସନ୍ତ ନୃପତି

ଆସି ନବ ପ୍ରାଣଦାନ କରିବା ପୂର୍ବରୁ,

 

କଲା କି ଘୋଷଣା ଆହା ଆଗମନୀ ତାର, -

ବସନ୍ତର ଅଗ୍ରଦୂତ ସୁଭାଷୀ କୋକିଳ !

କିମ୍ବା ଭୃଙ୍ଗ ଜଣାଇଲା ରବି ଆଗମନ -

ରବିପ୍ରାଣା ବିଷାଦିନୀ ନଳିନୀ ନିକଟେ ।

 

ବହୁ ପୁରସ୍କାରେ ତୋଷି ପୁରୋଧାପ୍ରବରେ,

ପଠାଇଲା ଜେମା ତାଙ୍କୁ ପିତୃସନ୍ନିଧାନେ,

ଦେବାକୁ ଏ ବାର୍ତ୍ତା, ତହୁଁ ଗଲେ ଦ୍ୱିଜମଣି ।

ମୃଦ ଫେଇ ପ୍ରଭାବତୀ କରି ପତ୍ର ପାଠ,

 

ପୁଲକ-ପ୍ରଫୁଲ୍ଲ ଚିତ୍ତେ ଭାବିଲା ଏସନ, -

‘‘ଅହୋ, କି ସମବେଦନା, କି ଅଭୟ ବାଣୀ,

କେଡ଼େ ଉଦାର ସେ ହୃଦ, ଧନ୍ୟ ମହାମତି !

ସତ୍ୟର ସେବକ ଯେହୁ, ଧର୍ମେ ଅଳଙ୍କୃତ,

 

ନିଶ୍ଚେ ସେ ମହାନୁଭବ ନୃପତିସମାଜେ ।

ଏଡ଼େ ବଳବତୀ ଯାଙ୍କ ଜାତୀୟ ମମତା,

ଜାତୀୟ ଦେବତା ଭିନ୍ନ ନୁହନ୍ତି ସେ ଆନ ।

ଅର୍ପିବି କି ଦ୍ରବ୍ୟେ ଆଜି ସେ ମହାପୁରୁଷେ

 

ଆର୍ଘ୍ୟ, ପୂଜିବି କି ଫୁଲେ, ପାଉ ନାହିଁ ଖୋଜି,

ଭକତିର କ୍ଷୁଦ୍ରଡଲା ସମର୍ପି ଚରଣେ,

ଛାଡ଼ ନେବି ରାଣାଙ୍କ ଏ ଅଶୋଧିତ ଋଣ ।

ତାଙ୍କ ଯେଉଁ କରୁଣାର ସ୍ନିଗ୍‌ଧ ସୁଧା - ଧାରା,

 

କଲା ମୋର ସନ୍ତାପିତ ପ୍ରାଣେ ସୁଶୀତଳ,

ସେହି କରୁଣାକୁ କରି ସ୍ମୃତିର ସଙ୍ଖାଳି

ଆଜୀବନ, ବିକି ହେବି ତାହାଙ୍କ ଶ୍ରୀପଦେ ।’’

ଏ କାଳେ ଶୁଭିଲା ଘୋର ସୈନ୍ୟ କଳରବ

 

ଅସ୍ପଷ୍ଟ ଗଭୀର ଯଥା ଦୂର ସିନ୍ଧୁନାଦ,

ଚମକି ଶୁଣିଲା ବାଳା କର୍ଣ୍ଣ ଡ଼େରି ତାହା

ବେଳାସ୍ଥ ବାଳକ ପ୍ରାୟ, ଲଭି ସେ ବିସ୍ମୟ

ତରଙ୍ଗାଭିଘାତ ଶବ୍ଦେ ଉତ୍କର୍ଣ୍ଣେ ଆବର,

 

ରହିଥାଏ ସେ ଆହ୍ୱାନ ଶ୍ରବଣ କାରଣ ;

ହେଲେହେଁ ଭୀଷଣ ସେ, ତା ଶ୍ରୁତିରସାୟନ ।

ଜାଣିଣ ଆଗତ, ଜେମା, ମିବାର-ବାହିନୀ,

ମଣିଲା ଆଶାୟୀ ମନେ କୃତାର୍ଥ ନିଜକୁ ।

 

ପାଇଲେ ଆଶ୍ରୟ ଦୈବେ ଜଳମଗ୍ନ ଜୀବ,

ମଣେ ଯଥା ପୁନର୍ଜନ୍ମ ଲାଭ, ତଥା ବାଳା,

ଉଦ୍ଧାର ସୁପଥ ଦେଖି ହେଲା ଆନନ୍ଦିତା ।

ଚିନ୍ତାଶୋକ ସନ୍ଧିସ୍ଥଳେ ହୋଇ ଛଟପଟ

 

ଜୀବନେ ଅସାର ଯେହୁ କରୁଥିଲା ଜ୍ଞାନ,

ମୁହୂର୍ତ୍ତକ ପରେ, ଅହୋ, ହେଲା ସେ ଆବର

ମୁଦମନା, ନିୟତିର କି ବିଚିତ୍ର ଲୀଳା !

ମେଘାଚ୍ଛନ୍ନ ନଭ ପୁଣି ଭଜେ ନିର୍ମଳତା,

 

ହସେ ରାହୁଗ୍ରସ୍ତ ଶଶୀ କ୍ଷଣକ ଉତ୍ତାରେ,

ଏହା ଅନୁଭୂତି - ସିଦ୍ଧ, ପ୍ରତ୍ୟକ୍ଷ ଘଟଣା,

ନୁହେଁ କେବେ ସୁଖ ଦୁଃଖ କାହା ଭାଗ୍ୟେ ତିର,

ଚିର ନୁହେଁ ଯଥା ବୀଚୀ - ବିକ୍ଷୁବ୍‌ଧ - ବାରିଧି -

 

ବେଳାଭୂମି - ବିନିର୍ମିତ ବାଲୁକା ମନ୍ଦିର ।

ଲଙ୍ଘି ଆରାବଳୀ ଶୈଳ ଆର୍ଯ୍ୟ-ଅନୀକିନୀ

ଧାଇଁଲା ପ୍ରଖରେ ରୋଷେ ମାର ମାର ସ୍ୱରେ,

ଉତ୍ତୋଳିଣ ବାପାରାଓ ଲୋହିତ ପତକା,

 

( ବିପକ୍ଷ-ବୀର୍ଯଶୋଷିଣୀ, ସ୍ୱପକ୍ଷ-ବୀର୍ଯ୍ୟଦା )

ଅଙ୍କିଲା ସେ ବୈଜୟନ୍ତୀ ପୁଚ୍ଛ ସଞ୍ଚାଳନେ

ଅତୀତ ଗୌରବ ସ୍ମୃତି-ପଂକ୍ତି, ଶୂନ୍ୟାକ୍ଷରେ ।

ସେ ଅମର ମହାସ୍ମୃତି ତଡିତ ପ୍ରବାହ,

 

ପରଶନ୍ତେ ରାଜପୁତ ବୀରଙ୍କ ଧମନୀ,

ହେଲେ ଉତ୍ତେଜିତ ସର୍ବେ, ପୂର୍ବୁ ଶତଗୁଣ ।

ସ୍ମରି ଖ୍ୟାତି ପ୍ରତିପତ୍ତି ବାପାରାଓଙ୍କର,

ବୀରମଦେ ଲୋମାବଳୀ ଉଠିଲା ଟାଙ୍କୁରି

 

ସକଳର, ତହୁଁ ଉଚ୍ଚେ ଛାଡ଼ି ହୁହୁଙ୍କାର

ଆକ୍ରମିଲେ ଭୀମବେଗେ ମୋଗଲ-ଶିବିର ।

ବାଜିଲା ଭୈରବେ ଭେରୀ, ରଣଚଣ୍ଡୀଙ୍କର

କି ସେ ନିମନ୍ତ୍ରଣ ବାଣୀ, କଠୋର କର୍କଶ,

 

ଶୁଣି ଭାଗ୍ୟପରୀକ୍ଷାର ସେ ମହା ଆହ୍ୱାନ

ଯବନ-ସୈନିକେ, ବ୍ୟଗ୍ର ଅତର୍କିତ ଭାବେ

ପ୍ରତ୍ୟାହ୍ୱାନ ଛଳେ କରି ପ୍ରତିଭେରୀ ନାଦ

ହେଲେ ଅଗ୍ରସର ରଣେ, କମ୍ପିଲା ସଘନେ

 

ବୀରପଦଭରେ ଧରା, ହୁଙ୍କାରେ ଅମ୍ବର ।

ଦ୍ୱିଭାଗେ ବିଭକ୍ତ ହୋଇ ମିବାର-ବାହିନୀ,

ଆକ୍ରମିଲେ ଶତ୍ରୁବ୍ୟୂହ ଅଗ୍ରୁ ପାର୍ଶ୍ୱଭାଗୁ,

କଲେ ରାଣା ଏକ ଦଳେ ସୁପରିଚାଳନ,

 

ଆନେ ରଣବୀର ନାମେ ପ୍ରବୀଣ ସର୍ଦ୍ଦାର ।

ଲାଗିଲା ତୁମୁଳ ଯୁଦ୍ଧ, ଛୁଟିଲା ଆୟୁଧ

ବିଦାରି ଆକାଶ - ବକ୍ଷ, ସ୍ୱନି ସନସନେ,

ଘାତୁକର ଗର୍ବ - ଗର୍ଭ ବିକଟ ଚିତ୍କାରେ

 

ରୁନ୍ଧିଦେଲା ଆହତର କରୁଣ ବିଳାପ,

ଜଡ଼ିଲା କି ଆହା, ରୁକ୍ଷ ପାଦପ-ଶରୀରେ

କୋମଳ ଲତିକା, ଦୃଢ଼ ଆଲିଙ୍ଗନ ପାଶେ,

ବୀର କରୁଣର ଏହି ଭୀଷଣ ମିଳନ,

 

କଲା କର୍ଣ୍ଣେ ଘନଘନ କୁଳିଶ ବର୍ଷଣ ।

ବୀରନୃତ୍ୟ ରଚି କେତେ ମାତିଲେ ସମରେ,

ସେ ଉତ୍କଟ ନୃତ୍ୟକାଳେ ବାଜି ତାଳେ ତାଳେ

କଟିଲମ୍ବୀ ଆସିକୋଷ, ଆୟସୀ ସନ୍ମାହେ,

 

ଝାଡ଼ିଦେଲା ଅଗ୍ନିକଣା, ବିଷମ ଝନ୍‌ଝନେ ।

କେ କାହାର ବକ୍ଷ ଲକ୍ଷି ହାଣନ୍ତେ କୃପାଣ,

ସମ୍ଭାଳି ସେ ଚୋଟ ସେହୁ ପିତ୍ତଳ ଫଳକେ,

ଲଘୁହସ୍ତେ ପ୍ରତିଚୋଟେ ଛେଦିଲା ତା ଶିର ।

 

ଭାଙ୍ଗିଗଲା ଅସ୍ତ୍ର କାର, ଶତ୍ରୁ ଅସ୍ତ୍ରାଘାତେ,

ନ ପାଇ ଆତ୍ମରକ୍ଷାର ଅପର ଉପାୟ,

ଗୋଟାଇ ସେ ଛିନ୍ନହସ୍ତ ଛିନ୍ନପଦ, କଲା

ତହିଁ ରଣ, କେହୁ ଧରି ଶ୍ମଶ୍ରୁଳ ମସ୍ତକ

 

ଯବନର, ଫିଙ୍ଗନ୍ତେ ତା, ଭାଙ୍ଗିଗଲା କାର

ସପଞ୍ଜର ଭବଲୀଳା, କାମୋଡି ସେ ମାଟି,

ଭଜିଲା ଅଭଙ୍ଗ ନିଦ୍ରା ଅନ୍ତିମ ଶୟନେ ।

ମଲ୍ଲଯୁଦ୍ଧେ ରତ ଅବା କାହିଁ ବେନି ବୀରେ,

 

ହୋଇ ଛନ୍ଦାଛନ୍ଦି ଭୁଜେ ଭୁଜେ ପଦେ ପଦେ

ପିଟାପିଟି ମୁଣ୍ଡେ ମୁଣ୍ଡେ । କେବେ ଅବା ତୋଳି

ବଜ୍ରମୁଷ୍ଟି, ପରସ୍ପରେ ପରଖନ୍ତି ପିଠି ।

ଧରି କେ କାହାର ପଦ, ଦୃଢ଼େ ବେନି କରେ,

 

ବୁଲାଇ ମସ୍ତକୋପରେ, କଚାଡିଲା ତଳେ,

ଯଥା କୃଷୀବଳ, ଭାଙ୍ଗି ବଦାଡି ଫଗୁଣେ,

କଚାଡ଼େ କଚଡ଼ା ବିଡ଼ା ଖଳାଭାଡି ପରେ ।

ଗୁରୁ ଗଦାଘାତେ କେହୁ କରି ବେନି ଫାଳ

 

ଯବନ ଶ୍ମଶ୍ରୂଳ ଶିର, ଶୁଷ୍କ ସବଳ୍କଳ

ନାରୀକେଳ ଛଳେ, ଭକ୍ତ ପୂଜାରୀ ପରାଏ

କଲା ରଣଚଣ୍ଡିକାଙ୍କୁ ନୈବେଦ୍ୟ ଅର୍ପଣ ।

ବଢ଼ିଲା ବେଳକୁ ବେଳ ପ୍ରଚଣ୍ଡ ମାରୂଣି,

 

ଭେଦି ରାଣା ରାଜସିଂହ ହେଳେ ଶତ୍ରୁବ୍ୟୂହ

ବିମନ୍ଥିଲେ ଅଶ୍ୱାରୋହୀ ସୈନ୍ୟେ, ଭୀମବେଗେ,

ବେନି ହାତେ ବେନି ଅସି ବୁଲାଇ ତ୍ୱରିତ

ବିଚରିଲେ ଆସିବ୍ୟୂହ, ନୀରନ୍ଧ୍ର, ଚଟୂଳ,

 

ଆପଣା ଚୌପାଶେ, ଚଳରଶ୍ମି - ଚକ୍ରପ୍ରାୟ,

ଆଭ ଆନ, ନ ଭୁକିବ ସେ ବ୍ୟୂହରେ ସୂଚି ।

ଗତିକାଳେ ଯେ ପଡିଲା ସେ ଚକ୍ରର ଦାଢ଼େ,

ହେଲା ଛିନ୍ନଭିନ୍ନ ସେହୁ, ତିଳେ ତିଳେ, ତୂଳା

 

ଯଥା କାଠି * ସଞ୍ଚାଳନେ । କାହାର ଛିଡିଲା

* ତୂଳା ଭିଣିବାର ଯନ୍ତ୍ର ।

ହସ୍ତ, କାର କଟି, କାର ଅବା ପାଦ, କାହିଁ

ଅଶ୍ୱ ଚିରି ହୋଇ ପେଟ, ପଡିଲା ଉତ୍‌କ୍ଷରେ

ଜିଭ କାଢ଼ି, ପଳାଇଲା ଅଶ୍ୱାରୋହୀ ଭୟେ;

 

ମାତ୍ର ତାକୁ ନ ମାରିଲେ ରାଣା, ଯେଣୁ ସେହୁ

ମରିଥିଲା ନିଜ କର୍ମେ, ମାରିବା ପୂର୍ବରୁ,

ବୀରପକ୍ଷେ ପୃଷ୍ଠଭଙ୍ଗ ବଳେ ଶିରଶ୍ଚେଦୁଁ ।

ଏହିରୂପେ କାଟି କାଟି ହେଲେ ଅଗ୍ରସର,

 

ଯାଉଁ ଯାଉଁ କାହିଁ ଅବା ଉହୁଙ୍କି ଉପରେ

ହାଣନ୍ତେ ସବଳେ ଚୋଟ, ସେ ଅବ୍ୟର୍ଥ ଚୋଟେ

ସରାଉତ ଅଶ୍ୱ ଗଲା ଅଧଗଡ଼ୁ ଛିଡ଼ି ।

ବେଳୁ ବେଳ ରାଜସିଂହ ଦିଶିଲେ ଭୀଷଣ,

 

ଉତ୍କେଶର ହରି ପ୍ରାୟ, ଶିକାର ଆକ୍ରମୀ ।

ଶତ୍ରୁବଧବୃଦ୍ଧି ସଙ୍ଗେ ସେହି ଭୀଷଣତା

ଲଭିଲା କ୍ରମଶଃ ବୃଦ୍ଧି, ହେରି ତାହାଙ୍କର

ମହା ସଂହାର ମୂରତି, କ୍ରୋଧେ ଶତ୍ରୁବୀରେ,

 

ଘେରିଲେ ତାହାଙ୍କୁ ଆସି ନିବିଡ଼େ ଚୌପାଶୁଁ,

ଏଣେ ରାଜପୁତ ବୀରେ, ( ଉପଯମ ସମ )

ରାଣାଙ୍କ ସାହାଯ୍ୟ ହେତୁ ମିଳନ୍ତେ ସତ୍ୱର,

ଧରିଲା ସମର ଘୋର ବିଭୀଷିକା ଛବି,

 

ଏ ସମୟେ ଧାଇଁ ଆସି ବେଗେ ରଣବୀର,

( ରିପୁକୁଳ - ଧୂମକେତୁ, ଶୂରବର - ତ୍ରାସ, )

ଏ ସଙ୍କଟେ ଅନୁବଳ ହେଲେ ରାଣାଙ୍କର,

ସ୍ୱଭାବତଃ ବୈଶ୍ୱାନର ଉଗ୍ର, ଦୁର୍ନିବାର,

 

ଦୁଯେ ସେ ପାଇଲେ ସାହା ରୁଦ୍ର ପ୍ରଭଞ୍ଜନେ,

ଲାଗେ କେତେ କ୍ଷଣ ତାକୁ ପ୍ରଳୟ ସର୍ଜନା ?

ମହୋତ୍ସାହେ ବେନି ବୀରେ ନାଶିଲେ ଅରାତି,

ହୋଇଣ ସମରସ୍ଥଳୀ ଶୋଣିତେ ପଙ୍କିଳ,

 

ଆସିଲା ସଂକୀର୍ଣ୍ଣ ହୋଇ, ଭଗ୍ନ ଅସ୍ତ୍ରେ, ଶବେ,

ମୁମୂର୍ଷୁ ଶରୀରେ, ଚୂର୍ଣ୍ଣଫଳକେ, ଭଷ୍ଣୀଷ ।

ଯବନର ବହୁ ସୈନ୍ୟ ପଡିଲେ ସମରେ,

ଅବଶିଷ୍ଟ ମୁଷ୍ଟିମେୟ ବୀରେ, ନ ପାରିଣ

 

ସହି ଦୁର୍ଦ୍ଧର୍ଷ ପ୍ରତାପ ଆର୍ଯ୍ୟରଥୀଙ୍କର,

ଦେଲେ ରଣେ ଭଙ୍ଗ, ମାତ୍ର ନ ଥିଲେ ଅକ୍ଷତ,

କେହି, ଆସିଥିଲେ ମୂଢ଼େ କନ୍ୟାଲାଭ ଆଶେ,

ଘେନି ଭୀତିରୂପା କନ୍ୟା, କ୍ଷତ, ପରାଜୟ,

 

ଲାଞ୍ଛନା, ଯନ୍ତ୍ରଣା ଆଦି ଯଉତୁକ ସହ,

ପଳାଇଲେ ଊର୍ଦ୍ଧ୍ୱଶ୍ୱାସେ ପଛକୁ ନ ଚାହିଁ,

ଧର ଧର ଶବ୍ଦେ ତାଙ୍କୁ ଘେନିଗଲେ ଖେଦି

ରାଜପୁତ ଯୋଧେ, ଚୋରେ ପ୍ରହରୀ ଯେସନ ।

 

ହୁଅନ୍ତେ ଅଦୃଶ୍ୟ ସର୍ବେ, ଲୁଚିଣ କେ କାହିଁ

ପ୍ରାଣଭୟେ, ବାହୁଡିଲେ ଆର୍ଯ୍ୟେ, ଜୟରବେ

ମୁଖରି ଆକାଶ, ବାଇ ବିଜୟ-ମହୁରୀ,

ଗାଇ ସ୍ୱଦେଶ ସଙ୍ଗୀତ, ଆନନ୍ଦ ତନ୍ମୟେ ।

 

ଘଟି ନାହିଁ ଯାହା ଭାଗ୍ୟେ ରଣେ ବୈରିବଧ,

ହେବାରୁ ନିଅଣ୍ଟ ଅରି ହେଲା ସେ ଦୁଃଖିତ,

ଶୋଣିତ - ନିର୍ଲିପ୍ତ ଅସ୍ତ୍ରେ ଫେରିବା ସମରୁ

କ୍ଷତ୍ର ବୀରପକ୍ଷେ ସିନା ଅତି ଅସମ୍ମାନ ।

 

ରାଜସିଂହ ବାହୁବଳେ ହେଲା ଯବନର

ଯଶ, ପଦ, ପ୍ରଭୁତ୍ୱର ତୀବ୍ର ଅହମିକା

ଉପହାସ୍ୟ, ଯଥା ଭଣ୍ଡ ପଣ୍ଡ ଆସ୍ଫାଳନ,

ଦିଶିଲେ ମିବାରେଶ୍ୱର ଦିବ୍ୟ ତେଜସ୍କର

 

ଯୁଦ୍ଧ, ଜିଣି, ଶାଣୋତ୍କୀର୍ଣ୍ଣ ମଣିମୁଣ୍ଡା ପ୍ରାୟ,

ଆନନ୍ଦର ଚାରୁ ହାସ୍ୟ ଫୁଟିଲା ବଦନେ,

ଭତ୍ସାହର କୋଟିମୁଦ୍ରା ମୁଦ୍ରିତ ଲଲାଟେ,

ତେଜି ରାଏ ରଣକ୍ଷେତ୍ର, ( ଭୀତିବୈରାଗ୍ୟଦ,

ଔଦାର୍ଯ୍ୟ - ଗମ୍ଭୀର - ସାମ୍ୟ - ମହାସନ୍ଧିସ୍ଥଳ )

 

ଘେନି ସଙ୍ଗେ ସେନାଦଳ ଜୟଶ୍ରୀମଣ୍ଡିତ,

ଉଡ଼ାଇ ବିଜୟବାନା ଆସିଲେ ବାହୁଡ଼ି ।

ପାତ୍ରମିତ୍ର ସହ ଆସି ରୂପନଗରେଶ,

ଘେନିଗଲେ ପଥ ମଧ୍ୟୁଁ ତାହାଙ୍କୁ ପାଛୋଟି

ସମାଦରେ, ବସାଇଲେ ରମ୍ୟ-ସିଂହାସନେ

 

ସଭା ମଧ୍ୟେ, ପାର୍ଶ୍ୱଭାଗେ ବସିଲେ ଆପଣେ ।

ଅନନ୍ତର ମିବାରେଶେ ବାତ୍ସଲ୍ୟେ ସମ୍ବୋଧି

ଆନନ୍ଦ-ଗଦ୍‌ଗଦ କଣ୍ଠେ ଭାଷିଲେ ଏସନ, -

‘‘ବାବୁ, ରାଜସିଂହ ନାମ ସାର୍ଥକ ତୁମ୍ଭର,

 

ଦେଖାଇଲ ରଣେ ଯେଉଁ ସାହସ ବିଷମ,

ଆଶ୍ରୁତ ଅଚିନ୍ତ୍ୟପୂର୍ବ ଅମାନୁଷୀ ବଳ,

ପଟାନ୍ତର ତୁମ୍ଭଙ୍କୁହିଁ ତାହା, ବୀରବର,

ତବ ବୀରତ୍ୱମହିମା, ମଣ୍ଡିବ ନିଶ୍ଚୟ

 

ଇତିହାସ ପୂତପୃଷ୍ଠା, ଗୌରବ ଅଧ୍ୟାୟେ ।

ଉଦ୍ଧାରିଲ ଦୟା ବହି ଅଧଃପତନରୁ

ମୋତେ, ଏ ବିପୁଳ କୁଳମାନ ସହ, ନୃପ,

କି କରିପାରିବି ଅବା ପ୍ରତି ଉପକାର

 

କ୍ଷୁଦ୍ରପ୍ରାଣେ, କରୁଅଛି ଆଶୀର୍ବାଦ, ହୁଅ

ଦୀର୍ଘଜୀବୀ, ଅର୍ଜନିତ୍ୟ ଯଶ ଧର୍ମ ଧନ ।

ସ୍ୱର୍ଣ୍ଣର ପରୀକ୍ଷା ଅଗ୍ନି, ବୀରର ସମର,

ହେଲ ପ୍ରତିପନ୍ନ ତୁମ୍ଭେ ବିଶୁଦ୍ଧ କାଞ୍ଚନ,

 

କଠୋର ପରୀକ୍ଷୋତ୍ତୀର୍ଣ୍ଣ, କରିବି ମୁଁ ଏବେ

ସେ ସ୍ୱର୍ଣ୍ଣେ ବଣିକରୂପେ କନ୍ୟା-ମଣି ଯୋଗ,

ଏହା ତବ ବୀରତ୍ୱର ଯୋଗ୍ୟ ପୁରସ୍କାର ।’’

ଏସନ ଭାଷିଣ ରାଣା କରନ୍ତେ ସଙ୍କେତ

 

ଚାହିଁ ମୁଦୂସୂଲୀଗଣେ, ଆଣି ସେ ଜେମାକୁ,

କରାଇଲେ ଉଭା ନେଇ ରାଜସିଂହ ବାମେ ।

ଆହା ସେ ମାଧୁର୍ଯ୍ୟମୟୀ ମୋହିନୀ ମୂରତି

ଶୋଭିଲା ବସନ୍ତ ପାଶେ ପୁଷ୍ପବନୀ ପ୍ରାୟ,

 

ଅବା ସିଦ୍ଧ ପୁଂସପାଶେ ଉଭା ସହିଷ୍ଣୁତା,

ଅଥବା ଲଭିଲା ଉଷା, ଶୋଭାଭୂତି ଭୂଷା,

ପ୍ରଭାମୟ ପ୍ରଭାତର ପବିତ୍ର ସନ୍ନିଧି ।

ଉଠିଲା ନବାନୁରାଗ ହୃଦେ ଉତ୍ତରଳି

 

ବାଳାର, ଯେ ଅନୁରାଗ ହୋଇ ଉଦ୍ଦୀପିତ

କରେ ଦେବ - ଭାବାନ୍ୱିତା ମାନବୀ ପ୍ରକୃତି,

ନୁହେଁ ସେ ନିବାର କ୍ଷୁଦ୍ର ବାହ୍ୟ ଆବରଣେ,

ମାତ୍ର ତାହା ବ୍ରୀଡ଼ାବତୀ ବ୍ରୀଡା ଅନ୍ତରାଳେ

 

ରଖିଲା ସମ୍ଭାଳି, ଛିଡ଼ା ହୋଇ ଅଧୋମୁଖେ,

ପୁଷ୍ପଭାରେ ଲତାପ୍ରାୟ ବରାଙ୍ଗୀ - ବନ୍ଦିତା ।

ଉତ୍ତରିଲେ ରାଜସିଂହ ଧୀରେ ସବିନୟେ, -

‘‘ଉଦାରତା ଚିହ୍ନ ରାଣା, ତବ ଏ ବେଭାର,

 

ଏ ଅମୂଲ୍ୟ ଶିଷ୍ଟାଚାର, ଲଜ୍ଜିତ ମୁଁ ତହିଁ,

ଦିଶେ ମହାଜନ ନେତ୍ରେ ଇତର ମହତ,

ତେଣୁ ତୁମ୍ଭେ ଏ ନଗଣ୍ୟ ଉପକାରେ ମୋର

କରୁଅଛ ପଲ୍ଲବିତ, ସ୍ନେହର ତା ରୀତି,

 

କରିପାରେ ସ୍ନେହ ଏକା ଗୋଟିକୁ କୋଟିଏ ।

ରଖିଲା ତୁମ୍ଭଙ୍କୁ ଦେବ, ତବ ଧର୍ମବଳ,

ଧର୍ମ-ସଂସାରରେ ଦୁଃଖ ପାଏ ନାହିଁ ସ୍ଥାନ,

ଦୈବେ ଛୁଇଁଲେ ତାହାକୁ, ପଳାଏ ବହନେ,

 

ପଳାଏ ଯେସନ ପ୍ରେତ ତପୋବନ ଛାଡି,

ପୁତ ହୋମ-ଧୂମ-ଗନ୍ଧ ନ ପାରିଣ ସହି ।

ତବ ପ୍ରୀତିସାଧନେ ମୁଁ ହୋଇଛି ଯେ କ୍ଷମ

ତା କେବଳ ପୂଜ୍ୟବର, ତବ ଆଶୀର୍ବାଦୁଁ ।

 

ପଠାଇଅଛନ୍ତି ଯାକୁ ଭବେ ଭଗବାନ

ଭାଗ୍ୟବାନ କରି, ତାର ସମ୍ଭବେ କି କ୍ଷତି

ତୁଚ୍ଛ ମତ୍ସରି-ମାତ୍ସର୍ଯ୍ୟେ, କି ଆପଦ ଭଲା

ତୁମ୍ଭ ଭଳି ଧର୍ମପ୍ରାଣ ସାଧୁ ପୁରୁଷର ?

 

ରାଜା ତୁମ୍ଭେ ସତ, ମାତ୍ର ମହା ଉଦାସୀନ;

ନିର୍ବାତ ବାରିଧି ଯଥା ପ୍ରଶାନ୍ତ ଉଦାର,

ନ ଥାଏ ତରଙ୍ଗକୁଳ - ଉଦ୍ଦଣ୍ଡ ତାଣ୍ଡବ,

ନ ଥାଏ ବ୍ରହ୍ମାଣ୍ଡ-ଭାଣ୍ଡ-ବିଖଣ୍ଡ ଗର୍ଜନ,

 

କିମ୍ବା ଲମ୍ଫଝମ୍ଫ, ଆଏ ମାତ୍ର ବକ୍ଷସ୍ଫୀତି

ଚନ୍ଦ୍ରିକା-ଜନିତ, ତଥା ନାହିଁ ତବ କିଛି

ପ୍ରକୃତି ରଞ୍ଜନ ବିନା ବାହ୍ୟ ଆଡ଼ମ୍ବର ।

ଅଭେଦ୍ୟ ରକ୍ଷା-କବଚ ଧାର୍ମିକ ଶରୀରେ

 

ସ୍ୱୟଂ ବିଷ୍ଣୁଚକ୍ର, ଅତଃ କି କରିବ ତାର

ଛାର ଲୁବ୍‌ଧକ ଯବନ, ପାପୀ ନରପଶୁ ।

ମଧୁପାନ ଆଶେ ଆସେ କୁସୁମଲମ୍ପଟ,

କେତକୀ ସକାଶେ, ମାତ୍ର ଲଭି ତୀକ୍ଷ୍‌ଣମୁନ

 

କଣ୍ଟକ ଆଘାତ, ଯାଏ ଯଥା ଭୟେ ଉଡି,

ନ ଚାହିଁ ସେ ଫୁଲେ, ତଥା ଜୀବନ ବ୍ୟାକୁଳେ

ଗଲେଣି ପଳାଇ ଦୁଷ୍ଟେ, ନ ଆସିବେ ଆଉ ।

ଆଶାୟୀ ଅନ୍ତରୁ ତାଙ୍କ ହୋଇଛି ଅନ୍ତର

 

ଦୂରାଶାର ସମ୍ମୋହନ କଳ୍ପନା-କୁହୁକ ।

ନାହିଁ ଆଉ ଶତ୍ରୁ ଭୀତି, ଅଶାନ୍ତ୍ୟୁପଦ୍ରବ,

ଘେନୁଛି ବିଦାୟ, ଯିବି ନିଜ ରାଜ୍ୟେ ଏବେ ।’’

ଏହା ଭାଷି ବୈବାହିକେ ପ୍ରଣମି ବିନୟେ

 

ହେଲେ ଉଭା ରାଜସିଂହ, ପ୍ରଭାବତୀ ସହ,

ବୃଦ୍ଧ ରାଣା ଯଥାବିଧି ପ୍ରଦାନି ମେଲାଣି

କନ୍ୟା ଜାମାତାଙ୍କୁ, ଯାଇ ସଙ୍ଗେ ଖଣ୍ଡେ ଦୂର,

ଉଭୟେ ବାଟେଇ ଦେଇ ଆସିଲେ ବାହୁଡି ।

 

ଯଥାକାଳେ ମିବାରେଶ ହେଲେ ଉପସ୍ଥିତ

ନବୀନା ମହିଷୀସହ ଚିତୋର ଦୁର୍ଗରେ,

ହୋଇଥିଲା ଏଥିପୂର୍ବୁ ନଗର ମଣ୍ଡଣୀ,

ପଥପାର୍ଶ୍ୱେ ରମ୍ଭାତରୁ ରୋପିତ ବିରଳେ,

 

ବହୁ ଚାରୁ ପୁଷ୍ପହାର ବିଲମ୍ବିତ ଶାଖେ,

ଥରି ମୃଦୁବାଚେ ସେହୁ, କରେ ଅନୂକୃତି

ତ୍ରିଦିବ-ଚନ୍ଦ୍ରିକା ରମ୍ଭା-ସୁରମ୍ୟ ନର୍ତ୍ତନ;

ଟଙ୍ଗା ତହିଁ ରକ୍ତ ପୀତ ଶ୍ୱେତ ନୀଳ ଆଦି

 

ଶବଳିତ ଓରମାଳମାଳ, ହେରି ତାହା,

ପ୍ରତେ ହୁଏ ବସିଛି କି ମହାପ୍ରଦର୍ଶନୀ,

ଶୋଭାସିନ୍ଧୁ - ଇନ୍ଦ୍ରଧନୁ ବର୍ଣ୍ଣବୈଭବର ।

ହର୍ମ୍ୟ ଦେବାଳୟଚୂଳେ ଉଡ଼େ ଶୂକ୍ଳ ଧ୍ୱଜା

 

କୁଟିଳ ଗତିରେ, ଆହା, ସନ୍ତରନ୍ତି ଅବା

ପୂଚ୍ଛ ଚାଳି ମହାମୀନେ ଗଗନ-ସାଗରେ ।

ହୋଇଅଛି ସ୍ଥାନେ ସ୍ଥାନେ ତୋରଣ ରଚନା,

ଲିଖିତ ସ୍ୱାଗତ ଶ୍ଳୋକ ସ୍ୱର୍ଣ୍ଣାକ୍ଷରେ ତହିଁ ।

 

କାହିଁ ଭାଟେ ପଢ଼ୁଛନ୍ତି ବିଜୟ କବିତା

ଉତ୍ତେଜକ ଉଚ୍ଚସ୍ୱରେ, କାହିଁ ଦେବାଳୟେ

ବସି ପିକକଣ୍ଠ ଦ୍ୱିଜ, ଦେଉଛନ୍ତି ଢ଼ାଳି

ବେଦର ଅମୃତଧାରା, ଅପବର୍ଗମୟୀ ।

 

କାହିଁ ଧରି ଫରି ଖଣ୍ଡା ଦୃଢ଼େ ପଦାତିକେ,

ଦେଖାନ୍ତି କୃତ୍ରିମ ରଣ, ବୀରନୃତ୍ୟ ରଚି,

ଲାଗିଅଛି ନୃତ୍ୟଗୀତ କାହିଁ ବା ଆଟୋପେ,

ମଧୁଗର୍ଭବାଦ୍ୟ ସହ, ବସିଛି ବା କାହିଁ

 

ଦାନର ବିପଣୀଶ୍ରେଣୀ, ଖାଦ୍ୟ, ବସ୍ତ୍ର, ଧନ,

ଯାହାର ଯା ଆବଶ୍ୟକ, ପାଉଛି ସେ ତାହା,

ଠାବେ ଠାବେ ଅନ୍ନସତ୍ର, ପୂର୍ଣ୍ଣ ଚତୁର୍ବିଧ

ଖାଦ୍ୟେ, ଅବାରିତ ଦୀନ ଅକ୍ଷମ ପକ୍ଷରେ,

 

ନାହିଁ ତହିଁ ଅନ୍ୟ କଥା, ଦିଅ ନିଅ ଛଡ଼ା ।

ବିଜୟ ଉତ୍ସବ ସହ ବିବାହ ଉତ୍ସବ

ମିଶି ମଧୁର ମିଳନେ, ହେଲା ମଧୁତର,

ସ୍ୱଭାବତଃ ଗାଭୀଦୁଗ୍‌ଧ ସୁରଭି ମଧୁର,

 

ଆଦର ସେ ହୁଏ ଯଦି ପୀୟୂଷ ପୁଟିତ,

ନ ବଢ଼େ କି ବହୁଗଣ ମାଧୁରୀ ତାହାର ?

ଦୀପାଲୋକେ ସ୍ନାନ କରି ରାତ୍ରିରେ ନଗରୀ,

ଶୋଭିଲା ଚନ୍ଦ୍ରିକାଧୌତ ଅମରା ସଙ୍କାଶ,

 

ଲାଗିଲା ସାଟୋପେ ଦାଣ୍ଡେ ବିବିଧ ରୋଷନି,

ଗରଜିଲା ଦାରୁଗୋଳା ଉଗାରି ଅନଳ

ଅଶନି-ନିଃସ୍ୱନେ, ନଭେ ଖେଳିଲା ହାବେଳୀ

[ ବିନା ମେଘେ କୋଟି ବିଦ୍ୟୁ ଝଟକ ପ୍ରକାରେ ]

 

ସର ସର ସ୍ୱରେ, ପୁଣି ଭଜିଲା ବିଲୟ

ଉଦୟ ଅବ୍ୟବହିତେ, ଅକ୍ଷମର ଆଶା

ଯଥା, କାହିଁ ଅବା ଚନ୍ଦ୍ରଉଦିଆ ତେଜରେ,

ହେଲା ନାହିଁ ବାରି ଦିବା କି ରଳନୀ, କିଛି,

 

କାହିଁ ସୃଜି ଭୂଇଁ ଚମ୍ପା ଆଗ୍ନେୟ ପାଦପ,

ଝାଡ଼ିଲା ସ୍ଫୁଲିଙ୍ଗରାଶି, ଉଡିଲେ କି ଆହା

ଏକକାଳେ ଲକ୍ଷ ଲକ୍ଷ ସୁବର୍ଣ୍ଣ - ଖଦ୍ୟୋତ ।

କାହିଁ ଅବା ଚକ୍ରବାଣ ଘୂରିଲା ଘର୍ଘରି

 

ଭୀମବେଗେ ବହଳାଇ କାଳ, ସୌରକର,

ନିର୍ମାଣେ କି ପ୍ରିୟଚକ୍ର, ଶାଣଯନ୍ତ୍ରେ ଶାଣି ।

ଉଠିଲା ଆକାଶେ କେତେ ପ୍ରଦୀପବିମାନ, *

* ପ୍ରଚଳିତ ନାମ ଫାନସ ।

ବହୁ ପୂଣ୍ୟଶୀଳ ଆତ୍ମା ତେଜି ଦେହ-କାରା

 

ମର୍ତ୍ତ୍ୟେ, ବସି ଜ୍ୟୋତୀରୂପେ ଜ୍ୟୋତିର୍ମୟ ରଥେ,

ଗମନ୍ତ କି ମହାଜ୍ୟୋତି ମିଳନାଭିପ୍ରାୟେ ।

ଏରୂପେ ଆମୋଦବହ ପ୍ରୀତି - ମହୋତ୍ସବ,

ଧରିଲା ଚିତୋର ବକ୍ଷେ ସପ୍ତ ଦିବାନିଶି ।

 

ସରିଲା ବିବାହ ଶୁଭେ ଗାନ୍ଧର୍ବବିଧାନେ,

ସେ ବିବାହେ ପୁରୋହିତ ବେନିଙ୍କର ବେନି,

ପରସ୍ପର ସମ୍ଭାଷଣ ବିବାହ ମନ୍ତର,

ବେଦୀ ହୃଦ, ସତ୍ୟ ମନ୍ତ୍ରପୁତଯଜ୍ଞାନଳ,

 

ଅନୁରାଗ ହସ୍ତଗ୍ରନ୍ଥି, ହାର ବିନିମୟ, -

ହେଲା ତହିଁ ଜୁଅଖେଳ ବରକନ୍ୟାଙ୍କର ।

ପତିଗଳେ ପ୍ରଭାବତୀ ଅର୍ପି ପୁଷ୍ପମାଳା,

ଭାଷିଲା ବିନୟେ, ‘‘ଦେବ, ଶଳିତା ଯେସନ

 

ଦଗ୍‌ଧ କରି ଆପଣାକୁ, ପ୍ରଦାନେ ଆଲୋକ

ଆନେ, କିମ୍ବା ଯଥା ଚନ୍ଦ୍ର ସହି ସୌରକର

ସୁପ୍ରଚଣ୍ଡ, ବିତରଇ ଜୀବନତୋଷିଣୀ

ଜ୍ୟୋତ୍ସ୍ନା, ତେସନ ହେ କୃତି, ସହି ଘୋର କ୍ଳେଶ

 

ତୁମ୍ଭେ, ଦେଇ ମୋତେ ସୁଖ, ତାର ପ୍ରତିଦାନେ

ଅର୍ପିଲି ନିଜକୁ ମୁହିଁ ତବ ପଦତଳେ;

ଖଟିବି ସେବକୀପଣେ ସଦା ଖଟଣୀରେ ।

ସତୀତ୍ୱ ଅକ୍ଷତ ରଖି ଆର୍ଯ୍ୟ ଅବଳାର

 

ଜାଳିଲ ଯେ କୀର୍ତ୍ତି-ଦୀପ, ସେ ଦୀପ ଆଲୋକ,

ନ ନିଭିବ,ରାଜପୁତ-ହୃଦ-ନିକେତନୁ

ଥିବାଯାଏଁ ବଞ୍ଚି ସେହୁ, କରି ଦୃଢ଼ତର

ଜୀବନର ଭିତ୍ତିଭୂମି ନିର୍ମାଣିଲ ଯେଉଁ

 

ଅଭ୍ରଲିହ ଯଶ-ହର୍ମ୍ୟ, ତାର ଚୂଡା,

ଦିଶିବ ପ୍ରୋଜ୍ଜ୍ୱଳଭାବେ ବହୁ ଦୂରଯାଏଁ ।’’

ଏ ବଚନ ରାଣାଙ୍କର ଶ୍ରୀମୁଖମଣ୍ଡଳେ

କଲା ବିକଶିତ ଆହା ତତ୍କାଳେ ବିଶେଷେ

 

ସ୍ୱାଭାବିକ ତେଜସ୍ୱିତା, ଖରଦୀପ୍ତି ସହ

ଅପରୂପ ମାଧୁରୀର ସ୍ନିଗ୍‌ଧ ସୁଧାରାଗ ।

କରି ସେ ବାହାର ତହୁଁ କଣ୍ଠୁ ରତ୍ନହାର,

ଦେଇ ତାହା କମ୍ବୁକଣ୍ଠୀ କଣ୍ଠରେ ଲମ୍ବାଇ,

 

କହିଲେ ସମ୍ବୋଧି ‘‘ପ୍ରିୟେ ତୁମ୍ଭେ ତ ସେବକୀ,

ତେବେ ପାଟରାଣୀ କିଏ ? ଲଭି ତୁମ୍ଭ ପରି

ଗୁଣବତୀ ପତ୍ନୀରତ୍ନ ମଣିଛି ନିଜକୁ

ଭାଗ୍ୟବାନ ମୁହିଁ, ଏହା ସତ୍ୟ ଧ୍ରୁବ ବାଣୀ

 

ଧନ୍ୟ ତୁମ୍ଭ ପାତିବ୍ରତ୍ୟ ନମସ୍କରଣୀୟ,

କଲା ତୁଚ୍ଛ ଜ୍ଞାନ ଯେହୁ ସମ୍ରାଟ ବିଭବେ

ଘୃଣାଭରେ, ନୁହେଁ ତାହା ସାମାନ୍ୟ ସମ୍ପଦ,

ସେ ମହାସମ୍ପଦ, ଦେବି, ତବ କରଗତ ।

 

ରମଣୀ ସତୀତ୍ୱ-ନିଧି, ନୁହେଁ କାମୁକର

କ୍ରୀଡ଼ାର ସାମଗ୍ରୀ, କିଏ ହରିପାରେ ତାହା ?

କେଉଁ ଚୋର ଚୋରିକରି ପାରିବ ବିଦ୍ୟାକୁ ?

ଅଚୌର୍ଯ୍ୟାପହାର୍ଯ୍ୟ ତାହା, ଦୁର୍ଲ୍ଲଭୁଁ ଦୁର୍ଲ୍ଲଭ ।

 

ରଖିଲା ତୁମ୍ଭରି ଧୈର୍ଯ୍ୟ ତୁମ୍ଭଙ୍କୁ ସଙ୍କଟୁଁ,

ଧୈର୍ଯ୍ୟଶୀଳେ, ଅଧୀର କି ଲଭିପାରେ କେବେ

ଅଭୀଷ୍ଟ ? ତାହା ତ ତାକୁ ନିଷିଦ୍ଧ ସର୍ବଥା ।

ବୀରନାରୀ ତୁମ୍ଭେ, ତେଣୁ ବିଷମ ବିପଦେ

 

ଆଚରିଲ ବୀରପନ୍ଥା, ନ ବହିଲ ଭୀତି,

ହୋଇଣ ଅଧିକାରିଣୀ ସୁଦ୍ଧା ପତିବ୍ରତେ,

ସ୍ୱଭାବ-କୌମଲ୍ୟମୟ ଅଙ୍ଗନା-ହୃଦର,

କଠୋରତା ସହିଷ୍ଣୁତା ଆଦି ନାନାଗୁଣେ

 

ଅଟ ଶିକ୍ଷାସ୍ଥଳ ତୁମ୍ଭେ, ତେଜସ୍ୱୀ ବୀରର ।

ଆର୍ଦ୍ରୀଭୂତ ହିଆ ତବ ଯେସନ ସତତ

ମଧୁରତା, ସ୍ନିଗ୍‌ଧତାରେ, ବାମାଜନୋଚିତ,

ତେସନ ଅଟଳ, ଧୈର୍ଯ୍ୟ, ଦୃଢ଼-ପ୍ରତିଜ୍ଞାରେ,

 

କରେ ସିନା ପ୍ରକୃତିକୁ ପ୍ରତିଜ୍ଞା ଉନ୍ନତ ।

ହେଲେହେଁ ଜୀବନ ତବ ଗଢ଼ା ବରାନନେ,

ସତୀତ୍ୱ-ପୁଣ୍ୟ-ମୟୂଖ-ଅକ୍ଷୟ-ଦୀପ୍ତିରେ,

ଚିର-ସୁଶୀତଳ ତାହା, ଆଦର୍ଶ, ଶଂସିତ,

 

ତୁମ୍ଭ ପରି ସୁଧାର୍ମିକ ଜନ୍ମନ୍ତି ଯେ ଦେଶେ,

ଉଦେ ହୁଏ ସେ ଦେଶରେ ଧର୍ମ ଷୋଳକଳା,

ପ୍ରଭାବିତ, ଶୋଭାବତୀ, ମହାପ୍ରଜ୍ଞାବତୀ

ତୁମ୍ଭେ, - ଗୁଣବତୀ, ତବ ଭଳି ନାରୀ-ରମା

 

ଯେ ଗୃହେ ଗୃହିଣୀ, ତାହା ମହାଦେବାଳୟ,

କୋଟି-ସ୍ୱର୍ଗସୂଖୁଁ ବଳେ ସେ ଗୃହର ସୁଖ ।

ବରିଲି ତୁମ୍ଭଙ୍କୁ ମୁହିଁ ଧର୍ମପତ୍ନୀରୂପେ,

ଆଜିଠାରୁ ହେଲ ତୁମ୍ଭେ ପାଟେଶ୍ୱରୀ ମୋର,

 

ଯୋଗ୍ୟ ଜୀବନ-ସଙ୍ଗିନୀ, ସୁଖେ ଦୁଃଖେ ସଦା,’’

ଏହା ଭାଷି ରାଣା, ଧରି ପ୍ରଭାବତୀ କର,

ବିଜେ ହେଲେ ଅନ୍ତଃପୁରେଚନ୍ଦ୍ରଜ୍ୟୋତ୍ସ୍ନାପ୍ରାୟ